ପାହାଡ଼
ପାହାଡ଼
1 min
188
ଥରର ଛାତି
ବକ୍ଷରେ ଜଳୁଛି ନିଆଁ
ଲାଜରେ ତା ମୁଣ୍ଡ ପଡୁଅଛି ନଇଁ
ପାହାଡ଼ ତାହାର ନାଆଁ ।
ଜଟାଜୁଟ ମଣ୍ଡି ସେ ଗୃହୀ ସନ୍ନ୍ୟାସୀ
ସିଦ୍ଧ ଭଗବାନ ଶିବ
ବାରୁଦ ଶବଦେ ପ୍ରକମ୍ପେ ତା ହୃଦ
ଏବେ ଯୋଗ ଧ୍ୟାନ ଭଗ୍ନ ।
ବିଷ୍ଣୁପଦ କୋଣୁ ଗଙ୍ଗାଧାର ନୀର
ନିର୍ଝରେ ଯାର ମସ୍ତକୁ
ଚନ୍ଦ୍ର ଆଉ ସୂର୍ଯ୍ୟ ବିଜେ ମହାକାଳ
ପ୍ରଣାମ ସେ ଭୂଧରଙ୍କୁ ।
ସାଇତା ସେ ବକ୍ଷେ ସୁଖ ଶାନ୍ତି ମୂଳ
ଅପାର ରତ୍ନ ସମ୍ପଦ
ସେ ମହାଦାନୀ ପୁଣ୍ୟ ତପୋଧନ
ଏଣୁ ପରମ ଆରାଧ୍ୟ ।
ମଙ୍ଗଳ ମୂରତି ପାହାଡ଼ ପର୍ବତ
ସୁରକ୍ଷା ଶ୍ରେଷ୍ଠ ଧରମ
ବଳେ ଅବିଚାରେ କ୍ଷୟ କଲେ ତାର
ପ୍ରାଣ ହୋଇବ ବିପନ୍ନ ।