ପାଗଳୀ ର ନାହିଁ କାଲି
ପାଗଳୀ ର ନାହିଁ କାଲି
ସହସ୍ର ବର୍ଷ ର ସହର କଟକ
ବାଉନ ବଜାର ତେପନ ଗଳି,
ଯୁଆଡ଼େ ଚାହିଁବ ଲୋକଙ୍କ ଗହଳି
ମୁଣ୍ଡେ ଚାଲିଯିବ ସତେ ବା ଥାଳି ।
ଗାଡ଼ି ଓ ମଟର ଚାଲେ ସର ସର
ବାଜୁ ଅଛି ହର୍ଣ କଳଗାଉଣା ,
ନ୍ୟାୟାଳୟ ଉଚ୍ଚ ମେଲା ବାରଣ୍ଡାରେ
ହଠାତ୍ ଶୁଭିଲା କାହା କାନ୍ଦଣା ।
ଜମିିଗଲେ ଲୋକ ଦେଖିଲେ ବୁଢ଼ୀ ଟେ
କହୁଛି ଲୋକଙ୍କୁ କାନ୍ଦି ବୋବାଳି
ମୋ ବାପା ଧନ ବାବୁ କହିପାରିବୁକି
କେଉଁ ଦିନ ହେବ ଆସନ୍ତାକାଲି ।
ଭାବିଲେ ସମସ୍ତେ ବୁଢ଼ୀ ଟି ପାଗଳୀ
ଦିଶୁଅଛି ତାର ହାଡ଼ ପିଞ୍ଜରା
ଖାଇଲେ ଗଣ୍ଡିଏ ହୋଇବ ସାସ୍ଥମ
ବନ୍ଦ ହେଇଯିବ ଆପେ କାନ୍ଦଣା ।
ଦରଦୀ ଗାଉଁଲି କିଏ ଜଣେ ଲୋକ
ଧାଇଁ ଗଲା ପାଶ ଭୋଜନାଳୟ
କିଣି ଆଣିଦେଲା ଅନ୍ନ ଓ ବ୍ୟଞ୍ଜନ
କହିଲା ବୁଢ଼ୀ ମା ଖାଇନିଅ ।
ଆଖି କୁ ତରାଟି ଚାହିଁଲା ବୁଢୀଟି
କହିଲା ପୁଅରେ ନାହିଁ ନାହିଁ
କାଲି କେବେ ହେବ ନ କହିଲେ ଜମା
ଖାଇବା ଜିନିଷ ଛୁଇଁବି ନାହିଁ ।
ପାଞ୍ଚ ଦଶ ଲୋକ କହିଲେ ବୁଝାଇ
ଜାଣିଅଛୁ ଆମେ ସତକଥା
କହିଦେବୁ ତୋତେ କେବେ ହେବ କାଲି
ଛୋଟ କଥା ମାନି ଖାଇପକା ।
ଥଙ୍ଗ ମଙ୍ଗ ହୋଇ ଖାଇଲା ବୁଢ଼ୀ ଟି
ପିଇଦେଲା ପୂରା ଗିଲାସେ ପାଣି
ଦଣ୍ଡେ କି ନିମିଷେ ବିଳମ୍ବ ନକରି
ପଚାରିଲା କାଲି କଥାକୁ ପୁଣି ।
ମାମଲତକାର ଜଣିଏ କହିଲେ
କାଲି କୁ କାହିଁକି ଭାବୁଛୁ ଏତେ
କଅଣ କାଲିକୁ ହୋଇବ ବୁଢ଼ୀ ମା
ଖୋଲି କୁହ ଆମେ ପୁଅ ସମସ୍ତେ ।
କହିଲା ବୁଢୀଟି ଗୋଟିଏ ପୁଅ ମୋ
ଏକୋଇର ବଳା ବିଶିକେଶନ
ଜମିବାଡ଼ି ବିକି ପଢାଇଲି ପାଠ
କରୁଛି ଚାକିରି ଏଇ ସହର ।
ଆସୁନାହିଁ ଫେରି ଗାଁ କୁ ଆଉ ସେ
ହୋଇଗଲା ସେଠି ବାହା ଓ ସାହା
ଫୋନ୍ କରିଲେ କହୁଅଛି ସିଏ
ଆସିବ କାଆଲି ସତସତିଆ ।
ମରିଗଲା ବୁଢ଼ା ଢାଆସି ହୋଇକି
ଆସିଲାନି ପୁଅ ଘରକୁ ଫେରି
ଗାଁ ସାଇ ଲୋକେ ଶୁଦ୍ଧି କ୍ରିୟା କଲେ
ପାରିଲିନି ଆଉ ସେ ଘରେ ରହି ।
ଆଖିରେ ନାଚିଲା ଛୁଆଦିନ କଥା
ଏଡିକି ବକୁଟେ ଉଚ୍ଚୁ କପାଳ
ଦିନ ରାତି ଏକ କଲି ତା ପାଇଁ
ସହିଛି କେତେ ମୁଁ ତା ଜଞ୍ଜାଳ ।
ଖୋଜି ଖୋଜି ଆସି ପହଞ୍ଚିଛି ଏଠି
କେଉଁଠି ମିଳୁନି ମୋ ଧନ ମଣି
କେବେ ହେବ କାଲି କୁହ ବାବୁମାନେ
ନହେଲେ ଘରକୁ ମୁଁ ଫେରିବିନି ।
ଲାଗିପାରେ ମିଛ ପାଗଳୀ ପ୍ରଳାପ
ତୁଚ୍ଛା କଥା ବୃଥା ବାହାପିଆମି
ଆପଣା ରକତ ବୁଝେ ନାହିଁ ଦୁଃଖ
କଳିକାଳେ ଚାଲେ କି ବେଇମାନି ।
ସବୁରି ଆଖିରୁ ଝରିଲା ଲୋତକ
ଦେଇ ନ ପାରିଲେ ଠିକ୍ ଉତ୍ତର
ନୁହେଁ ସେ ପାଗଳୀ ଦୁନିଆ ପାଗଳ
କାନ୍ଦେ ପୁଅ ଲାଗି ମାଆ ଅନ୍ତର ।
