STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ନିର୍ବାକଦେବୀ

ନିର୍ବାକଦେବୀ

1 min
27.1K


ଶକ୍ତି ସବୁ ଫେରାଇନିଅ

ଲଢି ପାରିବିନି ମୁଖା ପିନ୍ଧା ମହିଷାସୁର ମାନଙ୍କ ସହ

ନିଧନ ତ ପଛ କଥା

ଥୋପ କଣ୍ଟା ଗିଳି ସାରିବା ପରେ

ମୁଁ ସେମାନଙ୍କର ବନସୀରେ

ଝଟପଟ ଅସହାୟ ମାଛଟିଏ ଭଳି ।

ବାଇଗଣ କିଆରୀରେ ପାଳଭୂତ ମୋତେ ସଜାଇ

ଉଜାଡି ଦିଅନ୍ତି ସବୁ ଫସଲ

ସବୁ ଦେଖୁଥାଏ ସବୁ ଶୁଣୁଥାଏ

ପ୍ରତିଶବ୍ଦ ନଥାଏ ମୋ ପାଖେ

କାହିଁକିନା ନିଜକୁ ମୁଁ

ତା ପ୍ରେମରେ ଦେଇଥାଏ ଜାଳି ।

ସୋସିଆଲ ମିଡିଆର ଦଲକାଏ ପବନେ

ଫାଟିପଡେ ମୋ ହେହର ବାସ୍ନା

ହେ ଦେବୀ ତୁମେ ସର୍ବଶକ୍ତିମାନ ନମୋ ନମଃ

ପ୍ରଶଂସାର ଫୁଲ ହାରେ ପୋତିହୁଏ ମନ

ରାତି ହେଲେ ଏଠି ଶାଢୀ ଟାଣେ ଦୁଃଶାସନ

ଚୁପ କରିଦିଏ ମୋତେ ମୋର ଆତ୍ମସମ୍ମାନ ।

ପାପୀ ପୁରୁଷର ବିଶାଳ ଛାତି ଆଗେ

ସବୁ ଅସ୍ତ୍ରଶସ୍ତ୍ର ନିସ୍ତେଜ ହୋଇଯାଏ ମୋର

ଛଦ୍ମବେଶୀ ରାବଣର ବେଦମନ୍ତ୍ରପାଠେ

ପଥରହୃଦ ତରଳେ ହୋଇ ତନ୍ମୟ

ମମତାର ପଣତେ ପୋଛିଦିଏ ଝାଳ

ବାତ୍ସଲ୍ୟ ରସେ ହାହାକାର ହୋଇଉଠେ ପ୍ରାଣ ।

ସେ କି ବୁଝେ ମୋ ଅନ୍ତରର ଭାବ

ଦିଶେ ଖାଲି ତାକୁ ଶାଗୁଣା ଆଖିରେ

ପଚାସଢା ଶବର କଞ୍ଚା ମାଂସ

ଅସଜଡା କେଶ ଚିରାଶାଢୀ ଭଙ୍ଗାଚୁଡିର ଆକୁଳ ଚିତ୍କାର

ପବନେ ଭାସିଯାଏ ବହୁ ଦୂର

ମୋଟା ଅଙ୍କ ଭରିଦିଏ କିଛିଦିନ ପେଟର ଭୋକ ।

ପାଟି ଖୋଲିଲେ ହେବ ବିସ୍ଫୋରଣ ଭୂକମ୍ପ

ଭୁଷୁଡି ପଡିବ ବିଶ୍ଵାସର ବହୁତଳ ପ୍ରାସାଦ

ଶୁଣିବ ବା ଏଠି କିଏ କାହାକୁ କହିବି

ବରଂ ମୁଁ ସଦା ମିଛିମିଛିକା ଅଭିନୟ କରୁଥିବି

ମହିଷାସୁରମାନଙ୍କୁ ନିଧନ କରିବାର ଠାଣିରେ

ତୁମ କାନ୍ଥେ ଅବା ପୂଜା ମଣ୍ଡପେ ହୋଇ ନିର୍ବାକ ।

ଶଶାଙ୍କ ଶେଖର ରାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍