ନିଖୋଜ ଶୈଶବ
ନିଖୋଜ ଶୈଶବ
ଫେରି ଚାହେଁ ଯେବେ ଅତୀତ ପୃଷ୍ଠାକୁ
ଆଖିରେ ଭରଇ ନୀର
ନିଖୋଜ ହୋଇଲୁ ଶୈଶବ କେଉଁଠି
କରିଦେଲୁ କିମ୍ପା ପର ।
ଯେତେବେଳେ ଥିଲି ଅଝଟିଆ ଶିଶୁ
ସଭିଙ୍କର ଥିଲି ଗେହ୍ଲା
ସମୟ ବିତିଲା ଶୈଶବ ବି ଗଲା
ପେଶେ ସଂସାର ଝାମେଲା ।
ନନା ପିଠି ଥିଲେ ବୋଉ ପେଟ ଥିଲା
ଭାଈ ଭଉଣୀ ସ୍ପନ୍ଦନ
ଏବେ ନିଜେ ବୋଉ ପରିବାର ନୂଆ
ମନ ଖୋଜେ ପିଲାଦିନ ।
ତେଲ ଲୁଣ ଚିନ୍ତା ଘାରେ ଏବେ ଖାଲି
ନିଜେ ପାଉନି ନିଜକୁ
ଏକାନ୍ତରେ ଯେବେ ହଜି ଯାଇଥାଏ
ଖୋଜୁଥାଏ ଶୈଶବକୁ ।
ଏ ଜନ୍ମରେ ମୋ ପାଇଁ ସେ ପରଦେଶୀ
ଜାଣିଅଛି ଫେରିବନି
ତଥାପି ବିକଳ ହୃଦ ଛଟପଟ
ସ୍ମୃତି ଦେଉଅଛି ହାଣି ।
ଅଭୁଲା ସେ ଦିନ ଅଭୁଲା କାହାଣୀ
ଜୀବନ ବହିର ପୃଷ୍ଠା
ଉଙ୍କି ମାରେ ଯେବେ ନଟଖଟ ହେଇ
ଭୁଲେ ସାଂସାରିକ ନିଷ୍ଠା ।
ଆସକ୍ତ ମନର ପ୍ରତିଫଳନ ଏ
ଶୈଶବ ସ୍ମୃତିରେ ବୁଡି
ଖୋଜୁଥାଏ ନିତି ନିଖୋଜ ଶୈଶବ
ଶୈଶବ ମୋହରେ ପଡି ।।