ନିଃସ୍ବ ଏ ଜୀବନ
ନିଃସ୍ବ ଏ ଜୀବନ
ମୋହଗ୍ରସ୍ତ ମନ ଜୀବର ଜୀବନ
ବୈଚିତ୍ରମୟ ଏ ସୃଷ୍ଟି
ଐଶ୍ବରୀୟ ପ୍ରେମ ଉର୍ଦ୍ଧ୍ବ ଚେତନରେ
ଭାବନାର ତୀକ୍ଷ୍ଣ ଦୃଷ୍ଟି।
ଅହେତୁକ ଆଶା ପ୍ରଣୟ ପ୍ରତୀକ୍ଷା
ରୋମାଞ୍ଚିତ ତନୁମନ
ନିଷ୍କାମ ହୃଦୟେ ନିର୍ବାଣ ପ୍ରାପ୍ତିରେ
ସକାମ କର୍ମ ବନ୍ଧନ।
କିଏବା ବୁଝୁଛି କପାଳ ଲିଖନ
ସବୁ ବିଧିର ବିଧାନ
ଭାଗ୍ଯଡୋରି ପରା କାଳ ହାତେ ବନ୍ଧା
ନିଃସ୍ବ ମଣିଷ ଜୀବନ।
କାମନା, ବାସନା,ଆସକ୍ତି ଓ ପ୍ରାପ୍ତି
ଆଶା ସେ'ତ ଅସୁମାରୀ
ଅଦେଖା ମନର ଅନ୍ତର ତଳରେ
କେବେ ଯାତନାର ବାରୀ।
ଜୀବନ ଗଣିତ ଜଟିଳ ବହୁତ
ନିଦାଘ ମଧ୍ଯାହ୍ନ ପ୍ରାୟ
କର୍ମଗୁଣେ ଫଳ ଫଳିବ ଅବଶ୍ୟ
ଏକଥା ଅଟଇ ଥୟ।
ଆତ୍ମା,ପରମାତ୍ମା ଦିବ୍ୟ ସମ୍ମୋହନେ
ମିଳଇ ସୁଖ ସନ୍ଧାନ
ଝଙ୍କୃତ ହୁଅଇ ଜୀବନର ମନ୍ତ୍ର
କଲେ ଆତ୍ମ ନିବେଦନ।
