ନାରୀ-୧
ନାରୀ-୧
କିଏ କହେ ନାରୀ ନାହିଁ ଯା' ଅଇରୀ
ଏତେ ବଡ଼ ଦୁନିଆରେ
ବଇରୀ ପ୍ରବଳ ଶୁଭେ ନିତି ଗୋଳ
ଶୁଣ ଡେରି କର୍ଣ୍ଣ ବାରେ ।
ମାତୃ ଜରାୟୁରେ ଦଇବ ସ୍ଥାପିଲେ
ଅଶାନ୍ତିର ହୁଏ ଖେଳ
ପିତା ମଥାନରେ ଚଡକ ପ୍ରହାରେ
ସରିଯାଏ ଶାନ୍ତି ବେଳ ।
ଯେଉଁ ଦିନ ସିଏ ଦୁନିଆକୁ ଦେଖେ
ଆଳୟରେ ବଢେ ଚିନ୍ତା
ଯଉତୁକ ବ୍ୟାଧି ଅଟେ ସେ ରାକ୍ଷସୀ
କେଉଁ ସଂସାରର ହିତା ।
ଚନ୍ଦ୍ରକଳା ପରି ଦିନୁଦିନ ବଢି
ହୁଏ ନବ ଯଉବନା
ନାରୀ ମାଂସ ଲୋଭୀ ମାନବ ପିଶାଚ
ପୀରତି କରନ୍ତି ଘେନା ।
କନ୍ଦର୍ପ ଶରରେ କାମ ଜର୍ଜରିତ
ଭ୍ରମର ପରାୟ ସେହି
ତନୁର ପରଶ ଲଭିବା ଆଶାରେ
ରହିଥାନ୍ତି ପଥ ଚାହିଁ ।
ମାତା ଗରଭରୁ ଚିର ନିଦ୍ରା ଯାଏଁଁ
ତିଳତିଳ ନିତି ଜଳି
ସଂସାର ମଙ୍ଗଳ ମନାସୀ ଥାଏ ସେ
ନିଜ ସ୍ବାର୍ଥ ଦେଇ ବଳି ।
କେବେ ହୁଏ ଜାୟା କେବେ ସେ ତନୟା
କେବେ ସେ ଗେହ୍ଲୀ ଭଉଣୀ
କେବେ ପୁଣି ମାଆ ହୋଇଥାଏ ସାହା
ସମସ୍ତଙ୍କୁ କରି ଋଣୀ ।
ହେ ବିଶ୍ବ ମାନବ ମତ୍ତି କରି ଥୟ
ଶରଣ ଯାଅ ତା ପୟେ
ପୁରୁଷ ପ୍ରକୃତି ସଂସାରର ଗତି
ଦେଖ ଜ୍ଞାନ ଚକ୍ଷୁ ଲୟେ ।
