ମୁଠାଏ ମାଟି
ମୁଠାଏ ମାଟି
ମାଟି ଆମ ମାଆ ମାଟି ଆମ ଗାଆଁ
ମାଟି ସ୍ୱପ୍ନ ମାଟି ସୁନା
ମାଟିରେ ଖଟିଲେ ମାଟିର ମଣିଷ
ପେଟକୁ ମିଳଇ ଦାନା
ମାଆ ମାଟି ସ୍ୱର ଲାଗଇ ଆପଣା
ନିଆରା ନିଜର ପଣ
ମନ ପୁରି ଯାଏ ମଗୁଶୁର ମାସେ
ଯେବେ ଘରେ ବସେ ମାଣ
ମାଟିର ସେ ଘର ତା ଖଳା ଅମାର
ତାର ଭରା ଧାନ କ୍ଷେତ
ସେଇ ମାଟି ଆମ ରତ୍ନର ଭଣ୍ଡାର
ଆଶା, ଆଶ୍ରୟ, ଆଶ୍ରିତ
ମାଟିର ଅଗଣା ତୁଳସୀ ଚଉରା
ଲାଗଇ ସତେକି ସ୍ୱର୍ଗ
ମନେ ଭରିଦିଏ ଆତ୍ମୀୟତା ଭାବ
ମମତାର ଅନୁରାଗ
ମାଟିର ମହକ ପ୍ରେମର ପ୍ରାବଲ୍ୟ
ଯୌବନର ଉପବନ
କଳ୍ପବଟ ଛାୟା କରଇ ପ୍ରଦାନ
ସେ ମାଟି, ପାଣି, ପବନ
ମାଟିର ମଣିଷ ମାଟିର ଆଦର୍ଶ
ମାଟିକୁ ଭରସା କରି
ଅନନ୍ତ ପ୍ରେମର ବନ୍ଧନରେ ବାନ୍ଧି
ରଖିଛି ସଭିଙ୍କୁ ଧରି
ସେଇ ମାଟି ଧୂଳି ଦେହେ ହୋଇ ବୋଳି
କଟିଥାଏ ପିଲା ବେଳ
ଆଖିରେ ନାଚଇ ଅନୁଭୂତି ସବୁ
ମୁଠାଏ ମାଟିର ଖେଳ
ଏଇ ମାଟି ଅଛି, ରହିଛି, ରହିବ
କେତେ ଯେ ଗଲେଣି ଚାଲି
ଏହି ଘର,ବାଡି ଆମର,ତୁମର
କହିକହି ଗଲେ ଖାଲି
