ମୁଁ
ମୁଁ
ମୁଁ କବାଟ ବନ୍ଦକରେ
ତାଲା ଦିଏ
ଓ ଚାବିକୁ ତମ ହାତକୁ
ବଢେଇ ଦିଏ
ତମେ କୁହ ଭଲ ।
ଏବେ ଘର ଭିତରେ
ତମର ମହାନତା ନେଇ
ମୁଁ ଲେଖେ
ଗୀତ ଗାଏ
ପ୍ରସାଦ ରାନ୍ଧେ
ଆଉ ନିଜକୁ ବାଢି ଦିଏ
ନୈବେଦ୍ୟ କରି
ତମେ କୁହ ଭଲ ।
ମୁଁ ଆୟୁଷ ଢାଳେ
ସଂସାର ପାଳେ
ପାଚେରି ଡେଇଁ
କେବେ କେମିତି ଆସୁଥିବା
ଶବ୍ଦର କ୍ଷୀଣ ବାସ୍ନା
ଛୁଇଁବା ଆଗରୁ
ମୁଁ ଉପଭୋଗ କରୁଥାଏ
ନିର୍ବାଣକୁ ସବୁଠାରେ
ତମେ କୁହ ଭଲ ।
ଶାଢୀ ତଳେ
ଲୁଚେଇ ରଖେ ଦାଗ
ଆଖି ତଳେ ସ୍ଵପ୍ନ
ହସ ତଳେ ଭୋକ
ପାଦତଳେ ରକ୍ତ
ପାପୁଲି ତଳେ କ୍ଷତ
ତମେ କୁହ ଭଲ ।
ଦିନେ ମୁଁ ଝର୍କା ଖୋଲେ
ବାହାରେ ଦେଖେ
ଚେନାଏ ଆକାଶ
କେରାଏ ଆଲୁଅ
ଇଚ୍ଛା କରେ
ଛୁଇଁବି ବୋଲି
ତମେ କୁହ
ଝର୍କା ଖୋଲିବା ଖରାପ
ଆକାଶ ଦେଖିବା ଖରାପ
ଆଲୁଅକୁ
ଛୁଇଁବା ଖରାପ ।
ବୁଝିଯାଏ
ମୁଁ ମୋର ମୁଁ ନୁହେଁ
ବରଂ
ଘର ଓ ଆକାଶ
ଅନ୍ଧାର ଓ ପ୍ରକାଶ
ମତେ ବନେଇ ଦେଉଥାଏ
କେବେ ଭଲ
କେବେ ଖରାପ ।