ମୁଁ ପବନ କହୁଛି
ମୁଁ ପବନ କହୁଛି
ନାହିଁ ମୋର ରୂପ ନାହିଁ ମୋର ରଙ୍ଗ
ସବୁଠାରେ ମୁଁ ଯେ ଥାଏ
ଶୀତଳ ପରଶେ ଅତି ସନ୍ତର୍ପଣେ
ସମସ୍ତଙ୍କୁ ଛୁଇଁ ଯାଏ ।
ମୋ' ପାଇଁ ତିଷ୍ଠିଛି ଏ ଜୀବଜଗତ
ମୁଁ ଅଟେ ସବୁରି ପ୍ରାଣ
ଏମିତି ଜଗତେ ନାହିଁ କେଉଁ ଜୀବ
ମୋ' ବିନା ଧରେ ଜୀବନ ।
ଅଦୃଶ୍ୟରେ ଥାଏ ଅନୁଭବେ ମୁହିଁ
ନ ଚିନ୍ତଇ କା'ର କ୍ଷତି
ଧୂଳି ଧୂଆଁ ଶବ୍ଦ ବିଷାକ୍ତ କରିଛି
ଆଜି ଅଥୟ ମୋ' ସ୍ଥିତି ।
ହେ ବିଜ୍ଞାନୀ ନର ହୋଇ ଆଧୁନିକ
ମତିଭ୍ରମେ ପଥଭ୍ରଷ୍ଟ
ଜୀବଜଗତର ପ୍ରାଣ କେନ୍ଦ୍ର ମୁଁ ଯେ
କରୁଅଛ ମୋତେ ନଷ୍ଟ ।
ବାୟୁ ନାମ ମୋର ବହିଲେ ପବନ
ଅଟେ ଅତି ମୂଲ୍ୟବାନ
ପରିବେଶର ମୁଁ ଅଟେ ଏକ ଅଂଶ
ପ୍ରକୃତିର ଅବଦାନ ।
ପ୍ରଗତି ନାଆଁରେ ମନମତ୍ତ ଗର୍ବେ
କରୁଛ ବିବିଧ ଫାନ୍ଦ
କଳୁଷ କରୁଛ କଳେବର ମୋର
ନିଜ ସ୍ଵାର୍ଥେ ହୋଇ ଅନ୍ଧ ୲୲
ଜୈବ ବିବିଧତା ନଷ୍ଟ ଭ୍ରଷ୍ଟ କରି
ନିଜ ବଇରୀ ସାଜୁଛ
ହାହାକାର ସ୍ଵର ଶୁଭେ ଚତୁର୍ଦ୍ଦିଗେ
କେବେ କିଛି ନ ଶୁଣୁଛ ।
ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ହୋଇ
ମୋ' ସାଥେ ନିତି ଖେଳୁଛ
ପ୍ରଳୟ ତାଣ୍ଡବ ରଚିଲା ବେଳକୁ
ମୋ' ଦୋଷ ମିଛେ ଦେଉଛ ।
ପବନ ମୁଁ କହେ ଛୋଟ କଥା ମାନ
ବେଳହୁଁ ହୁଅ ସତର୍କ
ପ୍ରଦୂଷଣ ମୁକ୍ତ ରଖ ପରିବେଶ
ନ କରି କିଛି ବିତର୍କ ।
ସୁସ୍ଥ ପରିବେଶ ନିରୋଗ ଜୀବନ
ଏକଥାଟି ମନେ ରଖ
ବିଶୁଦ୍ଧ ବାୟୁ ଯେ ଦେହ ପାଇଁ ହିତ
ରୋଗ ନ ମାଡ଼ିବ ପାଖ ।