ମୃତ୍ୟୁର ଦ୍ୱାର ଦେଶରୁ
ମୃତ୍ୟୁର ଦ୍ୱାର ଦେଶରୁ
ଶୁଭ୍ରୋଜ୍ଜ୍ୱଳ ଦିବସର
ଚଳଚଞ୍ଚଳତା ଭିତରେ
ଜଣା ପଡୁନଥିଲା
କେଉଁଠି ସେ ଲୁଚି ରହିଥିଲା ବୋଲି ?
ରାତ୍ରିର ଘନଘୋର ଅନ୍ଧକାର
ସୃଷ୍ଟି କଲା ଭୟ ଆଉ ଆବେଗର
ବାତାବରଣଟିଏ ।
ମନର ନିଭୃତ କେଉଁ ଏକ କୋଣରୁ
ଅତି ଶୀତଳ ତା'ର ସେ ହସ୍ତ ପଞ୍ଝା ଧୀରେ ଧୀରେ
ଜାବୁଡି ଧରିବାକୁ ଆରମ୍ଭ କଲେ ମୋର ପ୍ରାଣସତ୍ତାରୁ କିଛି ॥
ହଠାତ୍ କଣ କିଛି ଘଟିଯିବ କି ଆଉ ?
ତାହେଲେ ତ ମୃତ୍ୟୁକୁ ଦେଖିହେବ —
ସେ କିପରି ଆସେ ଆଉ
ହୃଦୟର ସେ କୋରଡ ଭିତରୁ
ଜୀବନଟାକୁ ଝାମ୍ପିନେଇ କିପରି
ନିମିଷେକରେ ଅନ୍ତର୍ଦ୍ଧାନ ହୋଇଯାଏ ।
ଓଃ ଏହି ତାହେଲେ ସେ ମହାମାରୀ ?
ଆଜି ତାକୁ ଦେଖିବାର ସୁଯୋଗ ଆସିଛି ।
ନା ତାକୁ ମୁଁ ଦେଖି ପାରିଲିନାହିଁ ।
ତା ସହିତ ମୋତେ ଭେଟ
କରେଇ ଦିଆଗଲାନାହିଁ ।
ମୋ ଓ ତା ମଧ୍ୟରେ
ଅନେକ ପ୍ରତିବନ୍ଧକ ରଖିଦିଆଗଲା
ଆଉ ସେ ସବୁ ଭିତରେ ଥିଲା
ଅମ୍ଳଜାନ ସିଳିଣ୍ଡରଟିଏ ।
ସେଇ ସିଲିଣ୍ଡର୍ ଭିତରୁ
ମୁଁ ଜୀବନକୁ ସାଉଁଟୁଥିଲି
ଆଉ ମଝିରେ ମଝିରେ ଚାହିଁ ଦେଖୁଥିଲି
କେତେ ଦୁରରେ —ସେ ମୋ ଠାରୁ
ଛକି ବସିଛି ତାର ଅତି ପ୍ରିୟ " ମୋ ଜୀବନ ଫରୁଆଟାକୁ " ଝାମ୍ପିନେଇ ପଳେଇଯିବ ବୋଲି ।
ବିଚରା ରଘୁଆଟା ସଂଙ୍ଗରୋଧରେ
ଏକୁଟିଆ ଘରେ ରହିଛି ।
କେହି ନାହାଁନ୍ତି ତାର —ଖବର ନେବାକୁ,
ସବୁଠାରେ ରାଜନୀତି ॥
