ମୃତ ସହର
ମୃତ ସହର
ଆଜି ରାଜଧାନୀ କବଳରେ ଫୋନି
ମୃତ ସହରର ପ୍ରାୟ
କୀଟ ପଶୁପକ୍ଷୀ ଶବ ସବୁ ଦେଖି
ମଣିଷ କହୁଛି ହାୟ (୧)
ଭରା ବୃକ୍ଷ ଅଙ୍ଗୁ ଶାଖା ଭାଙ୍ଗି ପଙ୍ଗୁ
ଶ୍ରୀହୀନେ ହୋଇଛି ଠିଆ
କାଳର କରାଳେ ପ୍ରକୃତିର କୋଳେ
ଗଗନେ ବରଷେ ନିଆଁ (୨)
ପଚାସଢା ମଢ ଡାଳ କୁଢ କୁଢ଼
ଦୁର୍ଗଦ୍ଧେ ପକାଏ ହୁରି
ଶ୍ବାନ ଓ ଶୃଗାଳ ହୋଇ ଯେ ବିକଳ
ଅବେଳେ ଛାଡନ୍ତି ରଡି (୩)
ଜଳ ବିନା ପ୍ରାଣ ହନ୍ତସନ୍ତ ଜାଣ
ବୈଶାଖ ର ରୌଦ୍ର ତାପ
ତରୁ ତଳ ଛାଇ ଯାଇଛି ଉଭାଇ
ଦେବୀ କରିଛନ୍ତି କୋପ (୪)
ତଥାପି କାଉଟି କାଠିକୁ ସାଉଁଟି
ଖୋଜୁଥାଇ ଗଛଡାଳ
ବସାଟିକେ ପାଇଁ କୋଇଲିକୁ ଚାହିଁ
କହେ କି ହୋଇଲା କାଳ (୫)
ସୁବର୍ଣ୍ଣ ନଗରୀ ସତେକି ବଇରି
ଅମା ଅନ୍ଧକାର ଘୋଟି
ଦିବସ କି ରାତି ମନେ ଆଣେ ଭୀତି
ସୁଖ କେ ନେଇଛି ଲୁଟି (୬)
କଂକ୍ରିଟ ସହର ଆଜି ଛାରଖାର
ମୂକ ସାଜିଛି ମାନବ
ଯେଉଁ ଗରବରେ ବିଜ୍ଞାନ ଯୁଗରେ
କହୁଥିଲା ସ୍ବୟଂ ଦେବ (୭)
ଆରେ ମୂର୍ଖ ଜନ ହୋଇ ସଚେତନ
ରାସ୍ତାଟିଏ ନିଅବାଛି
ନହେଲେ ପ୍ରକୃତି ଏହିପରି କୀର୍ତ୍ତି
ଆଗକୁ ସଜାଡିଅଛି (୮)
