ମୋ ଗାଁ
ମୋ ଗାଁ
ଅଙ୍କାବଙ୍କା ନଈ ବହିଯାଉଅଛି
ମୋ ଗାଆଁ ଧାରେଧାରେ,
ଗାଆଁଟି ମୋହର ଶୋଭା ପାଉଅଛି
ନଡିଆ,ତମାଳ,ତାଳେ ।
ନଈତୁଠ ଆମ୍ବ ଗଛ ମୂଳୁ ଶୁଭେ
କିଚିରି ମିଚିରି ଗୀତ,
ହଳଦିବସନ୍ତ,ଶଙ୍ଖଚିଲ ସାଥେ
ବସୁଥାଏ ସେଠି ମିତ ।
ଗାଆଁ ଭିତରକୁ ଲମ୍ବି ଯାଇଥାଏ
ଚାଳ ଛପରର ଘର,
ଗାଁର ମଝିରେ ଶୋଭା ପାଉଥାଏ
ଠାକୁର ଭଗତ ଘର ।
ସଞ୍ଜ ନଇଁଗଲେ ଭଗତ ଘରରୁ
ଶୁଭେ ପୁରାଣର ସ୍ୱର,
ଲୋକମାନେ ଜମି ପୁରାଣ ଶୁଣନ୍ତି
ଦେଉଥାନ୍ତି ହରିବୋଲ ।
ବରଷାଦିନରେ ଘରଚାଳପରେ
ମାଡେ କଖାରୁର ଲଟା,
ବାଡିରେ ବାଡିରେ ଜହ୍ନିକାକୁଡିତ
ଦେଖାଏ ତାହାର ଛଟା ।
ଯୁଆଡେ ଚାହିଁଲେ ସିଆଡେ ଦିଶଇ
ସବୁଜ ସବୁଜ ଶିରୀ,
ଅପରାଜିତା ଓ ହରଗଉରାଙ୍କ
ଲାଗୁଥାଏ ନିତି କଳି ।
କେତେ ଅନାବନା ଶାଗ ଉଠିଥାଏ
ତୋଳିଆଣେ ମାଆ ଯାଇ,
ଚୁନା ପକାଇସେ ଖରଡିଲେ ତାକୁ
ତାହା ସରି କିଛି ନାହିଁ ।
ଶରତ ଆସିଲେ ବିଲପାଟପରେ
ଫୁଟେ କେତେ କାଶତଣ୍ଡି,
ଶୁଭ୍ରମୁକୁଟରେ କି ସୁନ୍ଦର ଦିଶେ
ମଥାକୁ ତାହାର ମଣ୍ଡି ।
ହେମନ୍ତ ଆସିଲେ ସକାଳୁ ସକାଳୁ
ବୁଣିବୁଣି ନାଲି ମୁରୁଜ,
କାକର ହକଳା ଘାସ ଗାଲିଚାରେ
ମୁଁହ ଦେଖେ ନିତି ସୁରୁଜ ।
ଶୀତଆସିଗଲେ ବାଡିରେ ବସଇ
ଗେଣ୍ଡୁ ଫୁଲଙ୍କର ମେଳା,
ଚାଷୀମନ ଖୁସି କଳେଇ ଗଦାରେ
ପୁରିଯାଏ ତାର ଖଳା ।
ଚାଉଳକୁ ବାଟି ଘରଣୀ ତାହାର
ଲକ୍ଷ୍ମୀ ପାଦପଦ୍ମ ଆଙ୍କେ,
ଦେଖିଲେ ଲାଗଇ ଟକ୍କର ଦେବକି
ଶ୍ରୀୟା ଚଣ୍ଡାଳୁଣୀ ସାଥେ ।
ବସନ୍ତ ଆସିଲେ ପଲ୍ଲବଇ ତରୁ
ଶୁଭେ କୋକିଳର ସ୍ୱର,
ଗାଁରେ ଗାଁରେ ଆୟୋଜନ ହୁଏ
ମେଳଣ ଠାକୁରଙ୍କର ।
କେତେ ଭଲ ଲାଗେ ଗାଁ ଲୋକଙ୍କର
ସେନେହ ବତୁରା କଥା,
ଯେତେଦୂରେ ଥିଲେ ପାଦତଳେ ତାର
ନଇଁ ଯାଏ ଆପେ ମଥା ।
