STORYMIRROR

Anam Charan Sahoo

Others

4  

Anam Charan Sahoo

Others

ମୋ ଛୋଟିଆ ଗାଆଁ

ମୋ ଛୋଟିଆ ଗାଆଁ

1 min
729


ସବୁଠୁ ସୁନ୍ଦର ମମତା ମନ୍ଦିର

ସେହି ମୋର ଛୋଟ ଗାଆଁ

ମୁଦ୍ରିତ ନୟନେ ଯାହା ଛବି ଭାସେ

ଜିହ୍ବାଗ୍ରେ ମଧୁର ନାଆଁ।

ତା ବଣ, ପାହାଡ ତରଙ୍ଗିଣୀ, ନାଳ

ସ୍ମୃତିରେ ହୋଇଛି ଲେଖା

ଜନମ କୁଟୀର ଇନ୍ତୁଡି ନିଆଁର

ଏବେବି ଦିଶୁଛି ଶିଖା।

ନିଘଞ୍ଚ କାନନ ସୁନ୍ଦରୀ ସୁମନ

ମୋହିଥାଏ ଜନ ମନ

ପରଜାପତିର ରଙ୍ଗୀନ କୁହୁକ

ସଦା କରେ ଆକର୍ଷଣ।

ଫଳନ୍ତି ସମୟ ନମ୍ର ତରୁବର

ଗୁଣ କରି ଆହରଣ

ସକଳ ମନୁଷ୍ୟ ପାଳନେ ଅବଶ୍ୟ

ହେବ ଜଗତ କଲ୍ୟାଣ।

ଭାଗବତ ଘରେ ପ୍ରତିଟି ସନ୍ଧ୍ୟାରେ

ଶୁଣି ଭାଗବତ ବାଣୀ

ସୁଖେ ଗ୍ରାମ ଜନ ବିତାନ୍ତି ଜୀବନ

ଭାଇଚାରା ଭାବ ବୁଣି।

ଗଗନେ ପବନେ ନିତି ଭାସି ଆସେ

ଘଣ୍ଟ,ଘଣ୍ଟି ସ୍ବନ ପୁଣି

ଗ୍ରାମ ଭୁଆସୁଣୀ ମଥାନେ ଓଢଣି

ଲାଗେ ଖାଣ୍ଟି ଓଡ଼ିଆଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍