ମୋ ବିଜୁଳି କନ୍ୟା
ମୋ ବିଜୁଳି କନ୍ୟା
ସିନ୍ଧୁରା ଫାଟିଲା କାଉ ରାବଦେଲା
ଅନ୍ଧାର ଗଲା ଦୂରେଇ ।
ସୁନେଲି କିରଣ ସୂରୁଜ ଦେବତା
ବିଛାଡି ଦିଅନ୍ତି ନେଇ ।
କୁସୁମିତ ଫୁଲ ଗଛରେ ଚଢେଇ
ଗୀତ ଗାଇ ଗାଇ ଉଡେ ।
ଫୁଲରୁ ଫୁଲକୁ ପରଜା ପତି ତ
ମନ ଆନନ୍ଦ ରେ ଉଡେ ।
ଝିପ୍ ଝିପ୍ ବର୍ଷା ଲାଗି ରହିଥିଲା
ନୀଳ ଆକାଶର ତଳେ ।
ସୁନେଲି କିରଣେ ବର୍ଷା ଛିଟା ପଡି
ମନ ମୁଗ୍ଧ କରୁ ଥିଲେ ।
କୃଷ୍ଣ ଜନ୍ମ ଦିନ ଥିଲା ଯେ ସେଦିନ
ଚାରିଆଡେ ଘମାଘୋଟ ।
ମୋ କୋଳେ ଆସିଲେ ବିଜୁଳିକନ୍ୟା କି
ଦିବ୍ୟ କାନ୍ତି ରୁପ ପଟ ।
କୋଟି ରୁପଶ୍ରୀଙ୍କ ସଉନ୍ଦର୍ଯ୍ୟ ଆଣି
ଚମକିଲ କୋଳେ ଆସି ।
କଳାମେଘ ପରି କେଶ ରାଶି ତୁମ
ଯେହ୍ନେ ଘନ ଅମା ନିଶି ।
ସମସ୍ତ ଫୁଲର କୋମଳତା ପ୍ରଭୁ
ତୁମ ଦେହେ ଭରିଥିଲେ ।
ସାଧବ ବୋହୂର ଶରୀର କୁ ନେଇ
ତୁମ ଓଠେ ଥାପି ଥିଲେ ।
ନୀଳ ନୟନ ରେ ଚାହିଁ ଥିଲ ତୁମେ
ନୂଆ ଦୁନିଆକୁ ଭରି ।
ସମସ୍ତେ କହିଲେ ବିଜୁଳି କନ୍ୟାକୁ
ନେଇ ଆସିଲ କି ଧରି ।
କୋଉ ଜନ୍ମେ କୋଉ ପୂଣ୍ୟ କରିଥିଲି
ଏ ଜନ୍ମେ ତୁମେ ମିଳିଲ ।
ପାଦପଦ୍ମ ଥାପି ପତ୍ର କୁଟୀରକୁ
ନିଜର କୋଠରୀ କଲ ।
ଜୀବନ ମୋହର ଅମା ଅନ୍ଧକାର
ଆଲୋକିତ କରି ଦିଅ ।
ଭଗବାନଙ୍କର ଆଶୀର୍ବାଦ ଥାଉ
ପଙ୍କୁ ପଦ୍ମ ଫୁଲ ହୁଅ ।
ଜନ୍ମ ଦିନର ତ ଅଭିନନ୍ଦନ ହେ
ତୁମଙ୍କୁ ଦଉଚି ଆଜି ।
କୋଟି କୋଟି ଆୟୁ ଦିଅନ୍ତୁ ସେ ପ୍ରଭୁ
ମାଗୁଣି କରୁଛି ଆଜି ।
