ମନ ତଳୁ
ମନ ତଳୁ
ବାମନ ଚନ୍ଦ୍ର ଦୀକ୍ଷିତ
ମନର କଥା ହୃଦୟର ବ୍ୟଥା
ଥରେ ମୋତେ କହିବାକୁ ଦିଅ,
ଅଧୈର୍ଯ୍ୟ ଆଶଙ୍କା ଫାଙ୍କୁ
ସନ୍ଦେହୀ ଆଖି ତୁମର
ଉଙ୍କି ଦେଖେ ଫାଙ୍କା ମୁହୂର୍ତ୍ତକୁ।
ବେଦନା ସମବେଦନା ସବୁ
ତରଳି ଗଲାପରେ,
ଥରେ ବହି ଯିବାକୁ ଦିଅ।
ବହୁ ଦିନୁ ରୁନ୍ଧି ବାନ୍ଧି ରହି ଥିବା
ଛାତି ଭିତରଟାକୁ ଟିକେ
ହାଲୁକା ହୋଇ ଯିବାକୁ ଦିଅ ।।
ଲୁହ ମୋର କୋହ ବି ମୋର
ଯଦି କେବେ ଅକ୍ତିୟାର କରି ଯାନ୍ତି
ଦୁଇ ଆଖି କୋଣ ବହିବା ଆଗରୁ,
ଅକୁହା ବେଦନା ମେଞ୍ଚା ମେଞ୍ଚା
ଗଛିତ ଯନ୍ତ୍ରଣା ଗୁଚ୍ଛା ଗୁଚ୍ଛା,
ହୁଗୁଳି ଯାଆନ୍ତି ଯଦି କେବେ
ଝୁଲି ପଡନ୍ତି ଅସହାୟ ବେସାହାରା
ପୁରୁଣା ଅଳନ୍ଧୁ ମିଶା ବୁଢ଼ିଆଣି ଜାଲ ପରି!
ଅଳପ ଆସ୍ୱସ୍ତି ପବନ ବି ଧୋଇ
ସଫା କରିଦିଏ ,ଏବଂ ବହି ଯାଏ କୋହ
ଛାତି ତରଳେଇ କହିଯାଏ ଲୁହ
ମଲା ଡେମ୍ଫ ଛାଡି ଝରା ପତର ପରି
ବୁଣି ହୋଇ ଯାନ୍ତି ଅବସାଦ ଯେତେ।
ଅପରିଚିତ ପରି ଚାହଁନା ତାକୁ
ଦେଖାଣିଆଁ ଲୁହ ଛଳନାର କୋହ
କୁହନା ତାକୁ ବହିବାକୁ ଦିଅ ।।
ଛାତି ଭିତରଟାକୁ ଟିକିଏ
ହାଲୁକା ହୋଇ ଯିବାକୁ ଦିଅ ।।
ଅଚିହ୍ନା ଚାହାଣି ଡର ଲାଗେ
ପଚାରନ୍ତି ଯେବେ ପରିଚୟ।
ଠିକଣା ତାଗିଦ କରନ୍ତି ଯଦି
ନିଜ ଗଳି କନ୍ଦି ନିଜର ଅଗଣା।
ବାରଣ ମାନନ୍ତିନି ଯେବେ
ଆଶ୍ୱସ୍ତ ହେବାର ପ୍ରୟାସ ସମସ୍ତ
ଅନାୟସ ଅପସରି ଯାଏ
ଧର୍ଯ୍ୟର ସୀମାରେଖା ଆଗକୁ ଆଗକୁ
ଛାଡିଯାଏ କୂଳ ଲଙ୍ଘିବାକୁ ବ୍ୟଗ୍ର
କିଛି ଖାରୁଆ ଲୁଣିଆଁ ପାଣି
ମାତ୍ର ତୃଷାର୍ତ୍ତ ବାଲୁକା ବେଳା ସମ
ପିଇ ଯାଏ ପଠା ପାଉଁସିଆ ଚିବୁକ
ଯଦି କିଛି ଛାଣି ହୋଇ ବହି ଆସେ
ଲୋମଶ ପଲକର ବ୍ୟୁହ ଭେଦି।
କୁହନା ଛଳନା ଏ ତ ତରଳ ମୋହ
ଘନୀଭୂତ କୋହର ଉଷୁମ ପ୍ରବାହ
ତାକୁ ଆଖି କୋଣେ କୋଣେ
ଗୋପନେ ରହିବାକୁ ଦିଅ ।।
ଛାତି ଭିତରଟାକୁ ଟିକେ
ହାଲୁକା ହୋଇ ଯିବାକୁ ଦିଅ ।।
