ମଲ୍ଲି
ମଲ୍ଲି
1 min
220
ବାତାୟନ ଫାଙ୍କେ
ଚୋରା ଚଇତାଳି
ଧୀରେ ଧୀରେ ବହୁଥିଲା
ତା ସାଥିରେ ମଲ୍ଲି
ସୁମନ ସୁବାସ
ନିଦ ମୋର ହରି ନେଲା।
ଭାବିଲି ସେ ବାସ
ବିତରୁଛି ଅବା
ମୋ ପ୍ରିୟା କବରୀ ହାର
ଅର୍ଦ୍ଧ ଉନ୍ମୀଳିତ
ନୟନେ ଚାହିଁଲି
ରିକ୍ତ ଥିଲା ଗଭା ତାର।
ଝରକା ଫାଙ୍କରେ
ଚନ୍ଦ୍ରାଲୋକେ ଦେଖେ
ବାଡ଼ିରେ ଫୁଟିଛି ମଲ୍ଲି
ସୁବାସ ବିତରି
ମନ ମୋ ହରୁଛି
ମୃଦୁ-ବାତେ ହଲି ହଲି।
କି ବର୍ଣ୍ଣିବି ତାର
ଅପରୂପ ଶୋଭା
କି ବର୍ଣ୍ଣିବି ତା ମହକ
ତନୁ ମନ ମୋର
ପୁଲକିତ ହେଲା
ନେତ୍ର ହେଲା ଅପଲକ।
ସେ ଦିବ୍ୟ ସୁବାସ
ଅଙ୍ଗେ ଅଙ୍ଗେ ମୋର
ଶିହରଣ ତୋଳୁଥିଲା
ଭାସି ବୁଲୁଥିଲି
ସେ ବାସ-ତରଙ୍ଗେ
ଭବ ବନ୍ଧନ ନଥିଲା।
ମନ ମୋର ହୋଇ
ଫୁଲଠୁ ହାଲୁକା
ହଜିଗଲା ସେ ସୁବାସେ
ସଂସାର ବନ୍ଧନୁ
ମୁକ୍ତ ହୋଇ ଭକ୍ତ
ହଜେ ଯେହ୍ନେ ଭକ୍ତି-ରସେ।