ମଧୁମୟ
ମଧୁମୟ
ତୁମ ରୂପ ରଂଗ ଆଜି ଅଛି ସିନା
କାଲିକି ରହିବ ନାହିଁ,
ରୂପେ ଅଭିମାନ ନ କର ଗୁମାନ
ସମୟ ଝୁଙ୍କି ନିଅଇ ।
କାଲି ଆସିଥିଲ ଏଡୁଟିଏ ହେଲ
ବୟସ ଯାଉଛି ବହି,
କି ହିସାବ ଦେବ ବେଳୁ ତାହା ଭାବ
କାଳ ଆସେ ପଛେ ଧାଇଁ ।
ଅଢେଇ ଦିନକୁ ବଡିମା କାହିଁକି
ଜୀବ ବୁଦ୍ ବୁଦ୍ ପରା,
ଅଜ୍ଞାନେ ଦାମ୍ଭିକେ ଭ୍ରମନ୍ତି ଭୂଲୋକେ
ମଣନ୍ତି ଧରାକୁ ସରା,
ଆସିଥିଲେ କେତେ ତୋସାଥିରେ ଯେତେ
ଯାଇଛନ୍ତି ଏକା ହୋଇ,
ସଂସାରେ ବ୍ୟାକୁଳ ହୁଅନ୍ତି ସକଳ
ମାୟାରେ ଆବେଶ ଥାଇ ।
ତୁମ ସାଥେ ସବୁ ଖେଳା କରୁଛନ୍ତି
ଈଶ୍ୱର ଲୀଳା ରଚଇ,
ପ୍ରାଣ ଉଡିଗଲେ ଜୀବ ପଡି ରହେ
ମଡା ସବୁ ବୋଲିବେଇଁ ।
କାହାପାଇଁ ଧନ କାହାପାଇଁ ମାନ
ସବୁ ଏଠି ସ୍ବାର୍ଥେ ବଶ,
ଯାହା ଅରଜିବ ସବୁ ରହିଯିବ
କର୍ମ ଥିବ ଅବଶେଷ।
ନୂଆ ସକାଳର ହୃଦ ସ୍ୱଚ୍ଛ କର
ଟିକିଏ ସହଜ ହୋଇ,
ହେନା ମଲ୍ଲୀପରେ ଭ୍ରମର ଭ୍ରମରେ
ନିର୍ମଳ ସବୁ ଲାଗଇ ।
ଆମ୍ର କୁଞ୍ଜବନ ଶୁକ ପିକ ସ୍ୱନ
ଏକ ଏକ ମଧୁ ଝର,
ନୀଳର ସାଗର ସବୁଜ ଆସର
ପ୍ରଭୁଙ୍କ କୃପା କନ୍ଦର ।
ସବୁ ମାୟା ଛାଡି ବିଭୁପାଦେ ପଡି
ନିଜକୁ ସମର୍ପି ଦିଅ,
ସାରା ସଂସାର ତାଙ୍କରି ଆସର
ଲାଗିବ ସେ ମଧୁମୟ ।
=======