STORYMIRROR

Sabita Nayak

Others

4  

Sabita Nayak

Others

ମାଟିର ବାସ୍ନା

ମାଟିର ବାସ୍ନା

1 min
241


ମାଟିର ବାସ୍ନା ଭାରି ନିଆରା ନିଆରା

ଭେଦିଯାଏ

ତାଳୁରୁ ତଳିପା ଯାଏ

ଅଦ୍ଭୁତ ସେ ସମ୍ମୋହନ,

ଆରମ୍ଭ ତ ଏଇଠୁ

ଶେଷ ବି ଏଇଠି

ଆଉ କାହିଁ ଖୋଜିବି ମୁଁ

କେଉଁ ପରିଚୟ?

ମା' ଆଉ ମାଟି

ମୋର ଏକାନ୍ତ ଆପଣାର

କୃପାକର ମା' ମୋତେ

ତୁମ କୋଳେ ଦିଅ ଗୋ ଆଶ୍ରୟ।


ସୀମାହିନ ଦିଗବଳୟ

ଆଉ ଆକାଶର ଖୋଲା ଛାତତଳେ,

ଲୋଟିବାକୁ ଇଚ୍ଛା ହୁଏ

ମାଟିମା' କୋଳରେ

ନିଃଶ୍ୱାସ ଓ ପ୍ରଶ୍ୱାସ ଏଠି ସବୁ ସ୍ୱଚ୍ଛ

ନାହିଁ ସହରର ଭିଡଭାଡ

ଅଯଥା ଟେନ୍ସନ୍

ଯାହା ମୁଁ ଖୋଜୁଥିଲି

ସହରର ଚାକଚକ୍ୟରେ

ମିଥ୍ୟା ଅହମିକା

କୋଠାବାଡି ବ୍ୟାଙ୍କବାଲାନ୍ସରେ।


ଅଣନିଃଶ୍ୱାସୀ ମୁଁ

ଧାଇଁ ଧାଇଁ ମିଥ୍ୟାମୋହ ପଛରେ,

ଦାମୀ ଦାମୀ ଜିନିଷ

ଆଉ ଗାଡିଘୋଡା ଭିତରେ

କାହିଁ ଶାନ୍ତି ଆଉ ସନ୍ତୋଷ?

ଅସହ୍ୟ ସେ କଷ୍ଟ

ଛାଟିପିଟି ଆତ୍ମା ମୋର

ମାୟାବିନୀ କୁହୁକିନୀ

ମାୟାନଗରୀର

ସ୍ୱର୍ଣ୍ଣପଞ୍ଜୁରୀ ଭିତରେ।


ଏଇ ମୋ ମା' ଡାକୁଛି

ହଁ ମୁ ଚାଲିଆସିଛି ମା'

ତୋ କୋଳରେ ମଥାରଖି

ଭୁଲିଯିବି ସବୁ ଦୁଃଖକଷ୍ଟ,

ଭାରି ଆପଣାର

ତୋ ନଦନଦୀ ବିଲବଣ

ଟାଣିନିଏ ମୋତେ

ତୋ ପଣତର ମୋହ।



Rate this content
Log in