ମାଟି ବଇକୁଣ୍ଠ
ମାଟି ବଇକୁଣ୍ଠ
ହେଉପଛେ ଏହା ମାଟିକାନ୍ଥ ଘେରା
ଉପରେ ଚାଳ ଛପର,
ଏଇ ଘରେ ଦିନେ ଜନମିଥିଲି ମୁଁ
ଅଛି ମୋର ଷଠୀ ଘର ॥
କୁଆଁ କୁଆଁ ରାବି ଏଇ ଘରମାଟି
ପ୍ରଥମେ ମୁଁ ଛୁଇଁଥିଲି,
ରଡ ଘଷିନିଆଁ ସୋରିଷତେଲରେ
କେତେ ଘଷା ଖାଇଥିଲି ॥
କେତେ ପେଟେଇଛି କେତେ ଆଣ୍ଠେଇଛି
ଏଇ ଘର ଅଗଣାରେ,
କେତେ ମୁଁ ହଗିଛି କେତେ ମୁଁ ମୂତିଛି
ଏଇ ଘରେ ବିଛଣାରେ ॥
ଏଇ ଘର ହାଣ୍ଡିଶାଳେ ଓଷା ବାହା
ପୁନିଅଁ ପରବ ବେଳେ,
କେତେ ପିଠାପଣା ଖାଇବା ଦରବ
ଖାଇଛି ମୁଁ ବୋଉ କୋଳେ ॥
ଏଇ ଘରେ ଶୈଶବରୁ ବଡ ହୋଇ
କରିଛି ଘର ସଂସାର,
ଦୁଃଖେ ସୁଖେ ଚଳି ଯାଉଛି ସଂସାର
ନାହିଁ ଦକ ଚିନ୍ତା ମୋର ॥
ଚାହେଁନାହିଁ ମୁହିଁ ଚାକଚକ୍ୟ ଭରା
ସୁନ୍ଦର ଅଳକା ପୁର,
ଏଇ ଘର ମୋର ମାଟି ବଇକୁଣ୍ଠ
ସ୍ୱର୍ଗଠୁ ବଳି ସୁନ୍ଦର ॥
