STORYMIRROR

Abhakanta None

Others Inspirational

3  

Abhakanta None

Others Inspirational

ମାଗୁଛି ତୁମରି ହସରୁ ଚେନାଏ

ମାଗୁଛି ତୁମରି ହସରୁ ଚେନାଏ

2 mins
6.7K


ବ୍ୟାକୁଳତା ମୋର ଯଦି ବୁଝିପାର ଆସିବ ରହିଲା ରାଣ

ତୁମ ଉପସ୍ଥିତି ପଲ୍ଲବାଇ ପାରେ ଲେଖନୀ ନିରସ ପ୍ରାଣ

ଲେଖନୀ ପ୍ରବୁଦ୍ଧ ହୁଏ କଲେ ସାଧ୍ୟ ପ୍ରେମ, ପ୍ରକୃତି, କି ପ୍ରଭୁ

ଏହା ବିନା ଲେଖା ସହଜେ ପାରେନା କରି କା' ହୃଦୟ କାବୁ ।

ପ୍ରେମରେ ପଖଳା ଲେଖନୀ ଶୃଙ୍ଖଳା ଝରଣାର ଝରଝର

ଉତୁରାଇ ପାରେ ଅମରା ବତୀରୁ ଚାତର ପରୀପୁର

ବିଞ୍ଚିଦିଏ ସିଞ୍ଚି ପ୍ରେମର ପବିତ୍ର ହୃଦହରା ଭାବଧାରା

ଡହକେ ମହକ ମୂର୍ତ୍ତ କରି ତୋଳେ ସ୍ବପ୍ନିଳ ଏ ବିଶ୍ଵ ସାରା

ବଳବତ୍ତର ସେ କରଇ ହୃଦୟ ବଞ୍ଚିବାର ଇଚ୍ଛା ଭରି

ଝୁଲାଇ ରଖଇ ଚିନ୍ତା ଚୈତନ୍ୟ ମୋହକୁ ମହୁଆ କରି ।

ପ୍ରକୃତି ବିଭୋରା ଲେଖନୀ ସମ୍ଭାର ତଟିନୀର ଚୁନା ଢେଉ

ଉଛୁଳାଇ ଦିଏ ଉସରତାରେ ବି ଶ୍ୟାମଳିମା ମୁହୁର୍ମୁହୁଃ

ବିକାଶ କରଇ ଅନେକ ଶିକ୍ଷାରେ ଦିବ୍ୟ ଚେତନାର ପୁଞ୍ଜି

ହୃଦରୁ ହୃଦକୁ କବଳି ପାଲଟେ ବହୁ ସମାଧାନ କୁଞ୍ଜି

ଅମୃତ ସତ୍ତାକୁ ସଞ୍ଚାର କରଇ ବାଣ୍ଟିବାଣ୍ଟି ଜାତୀୟତା

ସିଞ୍ଚି ଦେଉଥାଏ ପ୍ରାଣରେ ଅମୀୟ ଭାବନାର ଦିବ୍ୟସତ୍ତା

ଚିନ୍ମୟ ଭାବରେ ଚିହ୍ନରା ଲେଖନୀ ଯେବେଳେ ଉଦ୍ଧାରେ ସ୍ୟାହି

ସଂସାରରେ ମହା ସତ୍ୟକୁ ଜଗାଇ ତିନିପୁର ଦିଏ ମୋହି

ଆଦରି ନିଏ ସେ ଚଉଦ ବ୍ରହ୍ମାଣ୍ଡ ଆତ୍ମୀୟତା ଦିଏ ଢାଳି

ସମଗ୍ର ବିଶ୍ଵର କଲ୍ୟାଣ ପାଇଁ କି ବିଭୁରେ କରଇ ଅଳି

ଲେଖନୀକୁ କରେ ସମାନ ଆଦରା ପ୍ରଭୁ ପ୍ରେମେ ଛଳ ଛଳ

ଯୁଗାନ୍ତ ପାଇଁ କି ସଜାଏ ବଞ୍ଚାଇ ଭାବ ସାଗରେ ଉତ୍ତାଳ

ମୋ ହୃଦେ ପ୍ରେରଣା ଭରି ଦେବା ଲାଗି

କରିଛି ଟିକିଏ ଅଳି

ଅପ୍ରସାଙ୍ଗୀକତା ଦ୍ଵାହିରେ ପାର ଗୋ ମୋ ଅଳି ନିର୍ଦ୍ଦୟେ ଦଳି

ଯଦି ସାହିତ୍ୟରେ ସଦ୍‌ଭାବ ରଖିଛ ତଳେଇ ବିଚାରି ଦେଖ

ସାହିତ୍ୟ ବୃଦ୍ଧିରେ ତୁମେ ବି ପାଇବ ସ୍ବଧର୍ମୀୟ ଭାବ ଲୋକ

ତୁମରି ଚେନାଏ ପ୍ରେରଣାରେ ଯଦି ଲେଖନୀଟେ ପାରେ ଜିଇ

ଭାବୁଛି ଏଥିରେ ତୁମରି ସ୍ଵାର୍ଥର ବେଶି କ୍ଷତି ହେବନାହିଁ

ସେ ପ୍ରେରଣା ହେଉ ସୋହାଗ ପଖଳା ମୋର ଏ ଲେଖନୀ ଲାଗି

ସାରସ୍ଵତ ସୃଷ୍ଟି କରିବାର ଯୋଗଦାନରୁ ଯିବ କି ଭାଗି ?

ଯଦି କେବେ କାହିଁ ଲେଖାଯିବ ମୋର ଲେଖନୀର ଇତିହାସ

ଅନ୍ୟ ସାଥେ ତୁମ ପ୍ରେରଣା ସ୍ବୀକୃତି ତହିଁରେ କରିବ ବାସ

ଆକଟ ହୃଦରୁ ଉକୁଟାଇ ଦିଅ ସାରସ୍ଵତ ଭାବ ଲାଗି

ସଞ୍ଜିବନୀ ଟୋପେ ପିଆଅ ଗୋ ମୋର ଲେଖନୀ ହୋଇଛି ରୋଗୀ

ଅନ୍ୟପରି ଆମେ ଚାଲିଯିବା ଦିନେ ଲେଖା ତ ରହିବ ବଞ୍ଚି

ଯଦି ତାହା ହୁଏ ରହିବ ସେ ତୁମ ପ୍ରେରଣାକୁ ଭାବେ ସଞ୍ଚି

ତୁମଠୁଁ ପାଇଛି ବନ୍ଧୁତ୍ଵର ସମବେଦନା ଠିକ୍ ବେଳେ

ସବୁଠି କହିବ ଏ କଥା ଲେଖନୀ ତାହାର ପ୍ରଚାର କାଳେ

କାଳର କବଳେ ହଜି ଯାଇଅଛି ଲେଖନୀ ପ୍ରଥମ ଶ୍ରୋତା

ଶୁନ୍ୟ ମନ୍ଦିରରେ କାହାକୁ କହିବି ହୃଦ କଥା ହୃଦ ବ୍ୟଥା ?

ମୋତେ ନ ବୁଝିଲେ ନ ବୁଝ ପଛକେ ଦୁଃଖ ନାହିଁ ଦୁଃଖ ନାହିଁ

ହେଲେ ଏ ଲେଖନୀ ବଞ୍ଚାଇ ରଖ ଗୋ ହସରୁ ଟିକିଏ ଦେଇ

ଅନ୍ୟଥା ଭାବିବି ଦେଖାଣିଆ ଖାଲି ତୁମରି ସାହିତ୍ୟ ପ୍ରୀତି

ତୁମରି ହସରୁ ଚେନାଏ ଚାହିଁ ଗୋ ଲେଖନୀରେ ଭରେ ଇତି

●● ଜଣେ ସମଧର୍ମାଙ୍କ ନିରବତାରେ ଲେଖନୀ ଉଦ୍‌ଗାର ।


Rate this content
Log in