ମାଆ ଲକ୍ଷ୍ମୀଙ୍କ ମକର ଭାର
ମାଆ ଲକ୍ଷ୍ମୀଙ୍କ ମକର ଭାର
ମକର ସଂକ୍ରାନ୍ତି ଦିନ କି ବିଚାରି ମୁହିଁ
ଶିରିକ୍ଷେତ୍ର ଗଲି ଜଗା ଦରଶନ ପାଇଁ l
ଦେଖିଲି ସେବକ ଗଣ ବଡ଼ ତତପର
ଲକ୍ଷ୍ମୀଙ୍କର ବାପଘରୁ ଆସିଅଛି ଭାର l
ଧନୁ ସଂକ୍ରାନ୍ତିରୁ ଯାଇଥିଲେ ବାପଘର
ମକରେ ଫେରିଲେ ଧରି ମକରର ଭାର l
ପିତା ରତ୍ନାକର ଜଗନ୍ନାଥ ଜୋଇଁ ପାଇଁ
ଜାମା ଯୋଡ଼ ଅଳଙ୍କାର ଅଛି ପଠିଆଇ l
ଆରିସା,ମାଲପା ଆଦି ନାନାଜାତି ପିଠା
ମକର ଚାଉଳ ପୁଣି ସଙ୍ଗତରେ ମିଠା l
ଶାଶୁ ବରୁଣାଣି ବଡ଼ଖିଆ ଜୋଇଁ ପାଇଁ
ବ୍ୟବସ୍ଥା କରି ଅଛନ୍ତି ସିନ୍ଧୁରାଜେ କହି l
କାଳିଆର ମନେ ନାହିଁ ଟିକିଏ ସରାଗ
ଲକ୍ଷ୍ମୀଙ୍କ ଉପରେ ତାଙ୍କ ପଞ୍ଚମରେ ରାଗ l
ଏକ ମାସ ହେଲା ଭଲ ଲକ୍ଷ୍ମୀ ଯାଇଥିଲା
ମାଆ ଭୁଞ୍ଜାଇଲେ କରି ମତେ କେତେ ଗେହ୍ଲା l
ସେ ଅମୃତ ଏବେ ମୋତେ ଦୁର୍ଲଭ ହୋଇବ
ସାଗର ଦୁଲଣୀ କାହୁଁ ସେ ଅମୃତ ଦେବ l
ମହାଲକ୍ଷ୍ମୀ ରୋଷ ହେଲେ ଏକଥାକୁ ଜାଣି
ହଉରେ କାଳିଆ ତୋତେ ପିଆଉଛି ପାଣି l
ଖାଇ ମୁଁ ଫେରି ଆସିଲି ଦୁଇ ଗୋଟି ଖଜା
ଧନ୍ୟରେ କାଳିଆ ତୋର କମଳା ଭାରିଜା ।
