ଲୋହିତ ଜାହ୍ନବୀ
ଲୋହିତ ଜାହ୍ନବୀ
ଛେଦିତ ମସ୍ତକ ନିମ୍ନଗାମୀ ହୁଏ
ଉର୍ଦ୍ଧକୁ ଶରୀର ରକ୍ତେ ପ୍ଳାବିତ
ମହୀ ଝରଝର ଲୋହିତ ଜାହ୍ନବୀ
ସତେ ଧରାପୃଷ୍ଠେ ଅବତରିତ ॥
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ
ଜାହ୍ନବୀ ଆଜି ଉଗ୍ର ମୂଖା
ବ୍ୟାକୁଳ ସତେକି ଭସାଇ ନେବସେ
ପ୍ରମାଣ କରିବ ତା ପବିତ୍ରତା ॥
କେତେ ଗୃଧ୍ର କେତେ ମାର୍ଜାର ବ୍ୟାକୁଳ
ଲୋହିତ ଜଳରେ କରିବେ ସ୍ନାନ
ଉପଶମ ହେବ କ୍ଷୁଧା ତୃଷା ସବୁ
ସେହି ଆଶା ନେଇ ଧାବନ୍ତି ଶ୍ବାନ ॥
ଲୋହିତ ଜାହ୍ନବୀ ଭେଦ ନଜାଣଇ
କିଏ ଶ୍ବାନ କିଏ ଗୃଧ୍ର ମାର୍ଜାର
ହରିବାକୁ କ୍ଷୁଧା ତାରିବାକୁ ତୃଷ୍ଣା
ରହିଥାଏ ସିଏ ସଦା ତତ୍ପର ॥
ପବିତ୍ର ହେଉଛି ତା ପୂଣ୍ୟ ଜଳରେ
ଶାଳୁଆ ବଣର ତୃଷାର୍ତ୍ତ ଭୂମି
ସେହି ପୂଣ୍ୟ ଜଳୁ ଟୋପେ ପାଇବାକୁ
ଶାର୍ଦୁଳ ମାର୍ଜାର ଅଛନ୍ତି ଜମି ॥
ଲୋହିତ ଛିଟାରେ ଲିଭିବ ଭାବନ୍ତି
ପାପର ଅର୍ଜିତ କଳଙ୍କ ଛିଟା
ଲୋହିତ ଜାହ୍ନବୀ ଅଟ୍ଟହାସ୍ୟ କରି
ରକ୍ତେ ଧୋଇଦିଏ କଳଙ୍କ ଗାଥା ॥
ନୁହେଁ ହିମାଳୟ ହିମଖଣ୍ଡ ସମ
ଲୋହିତ ଜାହ୍ନବୀ ଅଟେ ଶୀତଳ
ଉଷ୍ମତା ଭରିଛି ଜଳରେ ଏହାର
ଶକ୍ତ ହୃଦୟକୁ କରେ ତରଳ ॥
କେତେଦିନ ଆଉ ଲୋହିତ ଜାହ୍ନବୀ
ମିଥ୍ୟାରେ ଲେଖିବ ଗାଥା ପୁଣ୍ୟର
କାହାକୁ କହିବ ପାଷାଣି ହୃଦୟ
ଜନନୀ ପାଷାଣ ଜୀବ ମହୀର ॥
ଲୋହିତ ଜାହ୍ନବୀ ଚତୁର୍ଦିଗେ ଆଜି
ଲହଡି ମାରଇ ଆଶ୍ଚର୍ଯ୍ୟ ଜ୍ବିହା
ଲାଳସାରେ ଅନ୍ଧ କିଶ୍ରେଷ୍ଠ କିମ୍ଳେଚ୍ଛ
ଉଦର କୁଣ୍ଡରେ କରନ୍ତି ସ୍ବାହା ॥
ଆର୍ଯ୍ୟମଣ୍ଡଳରେ କାୟା ବିସ୍ତାରୟୀ
ଲୋହିତ ଜାହ୍ନବୀ ବକ୍ଷେ ବିଲୀନ
ହୋଇଯିବ ଦିନେ ପାଷାଣି ଧରିତ୍ରୀ
ଅପେକ୍ଷା ତାହାର କେବେ ସେଦିନ !!!
॥ ଜ୍ୟୋତିରଞନ ସାହୁ ॥
jrs.2013rediffmail@gmail.com