ଲଣ୍ଠନ
ଲଣ୍ଠନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଲଣ୍ଠନ ନାମଟି ବହୁ ପୁରାତନ
ପ୍ରତି ଘରେ ପରିଚିତ
ଆଧୁନିକ ଯୁଗେ ତାହାର ଚାହିଦା
ବହୁତ ସ୍ଥାନେ ବିଲୁପ୍ତ ।
ପ୍ରଜ୍ଜ୍ଵଳିତ ହେଉଥାଏ କାଚର ଘରେ
ଗରୀବର ସିଏ ସାଥି
ଅନ୍ଧାର ଦୂରେଇ ଆଲୋକ ପ୍ରଦାନ
ଗାଆଁ ଅଗଣାର ଜ୍ୟୋତି ।
ପେଟରେ ଭରିଲେ କିରୋସିନ ତେଲ
ଜଳୁଥାଏ ହୋଇ ସ୍ଥିର
ବିପଦ ମୁକ୍ତ ବତୀ ରୂପେ ବସିଛି
ତୋଫାନେ ନାହିଁତ ଡର ।
ବିଦ୍ୟୁତ ସଂଯୋଗ ନାହିଁତ ଯେଉଁଠି
ଅନ୍ଧାର ଜନ ଜୀବନ
ଓଡ଼ିଶାର ଜନଜାତି ଆଦିବାସୀ
ନିଷ୍ପେସିତ ତାଙ୍କ ପ୍ରାଣ ।
କନ୍ଧ ପାହାଡ଼ି ଇଲାକାର ଜୀବନ
ବନାନୀ ଝରଣା କୂଳେ
ଅନ୍ଧାର ମାଡିଲେ କୁଡ଼ିଆ ଭିତରେ
ପ୍ରଥମେ ଲଣ୍ଠନ ଜଳେ ।
ଅନୁନ୍ନତ ଜିଲ୍ଲା ରହିଛି ଏବେବି
ଲଣ୍ଠନ ଚାହିଦା ଭାରି
ଗରୀବ ପିଲା ତ ପାଠ ପଢୁଛନ୍ତି
ଲଣ୍ଠନ ସାହାରା ଧରି ।
ଗାଆଁ ମାନଙ୍କରେ ବିଜୁଳି ଚାଲିଗଲେ
ଲଣ୍ଠନର ବ୍ୟବହାର
ପଲ୍ଲୀ କୁଟୀରେ ଯତନ କରନ୍ତି
ବହୁ ଆଦର ତାହାର ।
ଅପରାହ୍ନ ରେ ବସି ଦୁଃଖୀ ବୁଢ଼ୀଟି
ଲଣ୍ଠନକୁ ସଫା କରେ
ଅନ୍ଧାର ପରଶ ଧରାକୁ ଛୁଇଁଲେ
ଅଗ୍ନିରେ ସଂଯୋଗ କରେ ।