କୁହୁଡି
କୁହୁଡି
କୁହୁଡି ଭିଜା ଏ ଶୀତର ସକାଳେ
କବିତା ଲେଖୁଛି ବସି
କୋହଲା ପବନ ଦେହକୁ ଥରାଏ
ନୀରବ ନିଶ୍ଚଳ ମନ ଖୋଜୁଥାଏ
କଅଁଳ ଖରାର ତାତି।
କୁହୁଡି ଆଚ୍ଛନ୍ନ ଗଳିଠୁ ସହର
ମୁଁହ ମୁଁହ ଦିଶେ ନାହିଁ
ଢାଙ୍କି ହୋଇ ସିଏ ଏତିକି ଶିଖାଏ
ଆଗକୁ ତ ବାଟ ହେବ ପରିଷ୍କାର
ସେତେ ଯାଏଁ ଯାଅ ଧାଇଁ।
କୁହୁଡି ବର୍ଷାରେ ଦୁର୍ବାଦଳ ପରେ
ଜଳବିନ୍ଦୁ ଢଳଢଳ
ମୁରୁକି ହସନ୍ତି ଶୋଭା ବଢ଼ାଅନ୍ତି
ସୁନେଲି ଆଭାରେ ଝଲସି ଉଠି
ହେଉଥାନ୍ତି ଟଳମଳ।
କୁହୁଡି ଲୁଚାଏ ସୂରୁଜ କିରଣ
ପ୍ରଖରତା ଯାଇଛି କମି
ଶୀତ ଲହରୀରେ ଅବନୀ ଥରୁଛି
ଉଷୁମ ବସ୍ତ୍ରର ଚାହିଦା ବଢିଛି
ଥଣ୍ଡାରୁ ବଞ୍ଚିବା ପାଇଁ।
କୁହୁଡି ରୋକିଛି ପକ୍ଷୀଙ୍କ କାକଳୀ
ଦେଖିବାକୁ ମିଳେ ନାହିଁ
ଫୁଲ ତା ପାଖୁଡା ଖୋଲି ପାରେ ନାହିଁ
ବାସ ଚହଟାଇବାକୁ ମୁଦିତ ହୋଇ
ସେ ରହିଛି ଚାହିଁ।
କୁହୁଡି ଭରା ଏ ଶୀତ ଅନୁଭୂତି
ସତେକି କେଡେ ନିଆରା
ଆଜିର ଏ ବେଳା କାଲିକି ନଥିବ
ସମୟ ଚକ୍ରରେ ବରଷକ ପରେ
ମେଲାଇବ ପୁଣି ପସରା।