କୁହ ପ୍ରଭୁ କେବେ ବରଷିବ ପ୍ରୀତି?
କୁହ ପ୍ରଭୁ କେବେ ବରଷିବ ପ୍ରୀତି?
ପଢ଼ି ଅଛୁ, ଗୀତା, ଭାଗବତ, ରାମାୟଣ
ଓ ମହାଭାରତ,
ଶ୍ରୀ ନାରାୟଣଙ୍କ ଗୁଣ ଓ କୀରତି ମାନ,
ହୋଇଅଛି ବର୍ଣ୍ଣିତ |୧|
ଭକତି ଓ ଶୁଦ୍ଧ ପ୍ରୀତିର ଭାବ ଚେତନାର
ଆବେଗ ପରଶରେ,
ହୁଅ ତୁମେ ପରା ପରିପ୍ରକାଶ, ମୁଗ୍ଧ ହେଲେ
ତାର ମାଧୁର୍ଯ୍ୟରେ |୨|
ଭାବ ଛନ୍ଦ ସୁର ଲାଳିତ୍ୟ ଭରା ହରି କଥା
ଗାନ ତ ଢ଼ାଳଇ ଅମୃତ
ତାହା ପରା ସବୁ ପାପର ଅନଳ, ଚିରନ୍ତନ
ସତ୍ୟ ଓ ଚିର ଶାଶ୍ବତ |୩|
ଭକତ ମନେ ଅଛି ବିଶ୍ୱାସ ଦେଉଥାଅ ଦୁଃଖ,
ସହିବ ହସି ହସି
ଭାବୁଛି ମନେ ନିଶ୍ଚୟ ଦିନେ ନା ଦିନେ, ତା
ପାଖେ ପହଂଚିବ ଆସି |୪
ସବୁରି ତୁଣ୍ଡରେ କଥା ପରା, ତୁମ ନାମ ଯେ
ଧରିଲେ ହୁଅନ୍ତି ମୁକ୍ତ
ହେ ଅଧିପତି ବିଶ୍ୱ ବ୍ରହ୍ମାଣ୍ଡର, ସର୍ବ କଥା ଅଟେ
ତୁମ ହସ୍ତ ଓ ଆୟତ୍ତ |୫|
ତୁମେ ପରଂବ୍ରହ୍ମ, ତୁମେ ସନାତନ, ତୁମେ
ଅଟ ଜଗତର ପତି
ତୁମେ ଅଧିଶ୍ୱର ସମସ୍ତଙ୍କ ମନେ ଯୋଗାଅ
କ୍ଷମା, ଦୟା ଓ ଶାନ୍ତି |୬|
ଯାର କିଛି ନାହିଁ, ନୈବେଦ୍ୟେ ଓ ବିକଳେ
ଯଦି ପ୍ରାର୍ଥନା କରେ
କୁହ, କିଆଁ ତାର ଅନ୍ତରର ଭକତି, ମନର
କଥା ନବୁଝ ବାରେ |୭|
ଧୂପ ଓ ଦୀପ ଜାଳେ, ତୁମର ନାମକୁ ଧରି
କରୁଣା କର ହେ ସ୍ୱାଇଁ
ମନରୁ ରାଗ, ହିଂସା ଓ ଘୃଣା ଦୂର କରୁନାହଁ,
ଉତ୍ତର ଦିଅ କାହିଁପାଇଁ |୮|
ଲୀଳାମୟ ପରା, କେତେ ଅମୃତ ଲୀଳା ତ
କରିଛ ଏହି ଜଗତେ
ଦୁଃଖି ଜନଙ୍କର ଦୁଃଖ ହରିବାକୁ ପଛଘୁଞ୍ଚା
ତୁମ କାହିଁକି ଏତେ |୯|
ପାପୀର ହାତରେ ଧରାଇ ଦେଇଛ ଛୁରୀ,
କରୁଛି ଆତଙ୍କରାଜ
ଧର୍ମ ସଂସ୍ଥାପନ ନିମନ୍ତେ ଏହା କି ପ୍ରକାର
ଅଭିନବ ତୁମ ସଜ ବାଜ |୧୦|
ପ୍ରେମର ବାରତା ପରା ତୁମେ ସଭିଙ୍କୁ ଦିଅ
ହେ ଜଗତର ସ୍ୱାଇଁ
କରୁ ଅଛନ୍ତି ଅନେକ ପାପର କରମ କିପରି
ତୋର ଗୁଣ ଗାଇ ଗାଇ |୧୧|
ତୁମେ ଧର୍ମ କର୍ମ କର୍ତ୍ତବ୍ୟ, ତୁମେ ପାପ ପୂଣ୍ୟ
ତୁମେ ହିଁ ପ୍ରେମ ବନ୍ଧନ
କିପରି କରନ୍ତି ପାଷାଣ୍ଡ, ହତ୍ୟା ଓ ଅତ୍ୟାଚାର
କରି ତୁମ ପାଦେ ସମର୍ପଣ |୧୨|
ତୁମରି ନିର୍ଦ୍ଦେଶେ, ଚନ୍ଦ୍ର, ସୂର୍ଯ୍ୟ ଓ ତାରା ହୁଅନ୍ତି
ଯଦି ଆତଜାତ
କାହିଁକି ମତରେ ଅନ୍ଧ ହୁଅନ୍ତି, ସେ ସନ୍ତାନରେ
ନଦେଖାଅ ଆଲୋକର ପଥ |୧୩|
ଟାଣିଛ କାହିଁକି କୁହ ଗରିବ ପାଇଁ କି,
ନଶୁଣିବାର ଏ ଲକ୍ଷ୍ମଣ ଗାର
ଦେଉଅଛ ଗରିବେ ସଜା ନିଷ୍ଠୁର ଠୁ ବଳି,
ଝରୁଛି ଲୁହର ଧାର |୧୪|
କାହିଁକି ଭରୁଛ ବିଶ୍ୱାସରେ ବିଷ କିବା ଦୋଷ
ଅଛି ତୁମ ଭକତର
ତାର ଭଲ ପାଇବାକୁ ପ୍ରତାରଣା ଭରି କିଆଁ
ତାକୁ ଜଳାଇ ମାର |୧୫|
କୁହ ପ୍ରଭୁ କେବେ ତୁମେ ସବୁରି ମୁହଁରେ ହସ
ଆସି ଖେଳାଇବ
ସବୁରି ଆଖିରୁ ଲୁହ ପୋଛିବାକୁ ହେ ମହାବାହୁ
ପ୍ରୟାସ କରିବ |୧୬|
