କୃଷ୍ଣାବତାର
କୃଷ୍ଣାବତାର
ଯେବେ ଯେବେ ଧରଣୀରେ
ଅବକ୍ଷୟ ହୋଇଛି ଧର୍ମର
ଅବତରି ଆସିଥାଅ
ଦେହ ଧରି ଏ ଧରା ବକ୍ଷରେ
ଅଧର୍ମ ବିନାଶି ଧର୍ମ ସଂସ୍ଥାପନ କରି
ଉଡାଇଛ ଧର୍ମଧ୍ୱଜା
ଯୁଗେ ଯୁଗେ ନାନା ଅବତାରେ ॥
ହେ ପ୍ରଭୁ ହେ ଗୋଲକ ବିହାରୀ !
ଅବତାର ନେଇଥିଲ ଦ୍ୱାପର ଯୁଗରେ,
କୃଷ୍ଣ ନାମେ ମଥୁରା ନଗରେ,
ଦେବକୀଙ୍କ ପୁତ୍ର ରୂପେ
ଜନ୍ମିଥିଲ କଂସ ବନ୍ଦୀଘରେ ॥
କଂସ ଅଗୋଚରେ ପ୍ରଭୁ ଅନ୍ତର୍ଦ୍ଧାନ ହୋଇ
ବୋଲାଇଲ ଗୋପେ ନନ୍ଦ ଯଶୋଦା ନନ୍ଦନ
ଗୋପେ ଗୋପାଙ୍ଗନା ଆଉ ରାଧା ରାଇ ସଙ୍ଗେ
ରଚିଥିଲ ରାସ ଲୀଳା ସାକ୍ଷୀ ବୃନ୍ଦାବନ ॥
କାଳିନ୍ଦି ତଟ ବିପିନେ ଆନ୍ଦରେ ଦିନେ
ମୋହିଥିଲ ଗୋପନାରୀ ମାନଙ୍କର ମନ
ବଜାଇ ମୋହନ ବଂଶୀ ସୁମଧୁର ସ୍ୱନେ
ବଦନ-କମଳ ମଧୁ କଲ ଆସ୍ୱାଦନ ॥
କ୍ଷୀର ସଙ୍ଗେ ପୂତନାର ପ୍ରାଣ ଶୋଷି ଦିନେ
ପ୍ରଳମ୍ବା ଅଘା ଶକଟା ବକାଦି ବଧିଲ
କାଳୀୟ ଦର୍ପ ଗଞ୍ଜନ, ଇନ୍ଦ୍ର ଗର୍ବ ଚୂର୍ଣ୍ଣ
କରି ଦିନେ ପ୍ରଭୁ ଗୋବର୍ଦ୍ଧନ ଟେକିଥିଲ ॥
ଧନୁଯାତ୍ରା ଅବସରେ ମଥୁରା ନଗରେ
କୁବୁଜାକୁ ଭେଟିଦେଲ ରୂପ ଓ ଲାବଣ୍ୟ
ଅତ୍ୟାଚାରୀ ମାମୁଁ କଂସାସୁର କରି ବଧ
ମାତା ଦେବକୀଙ୍କ ଦୁଃଖ କରିଲ ମୋଚନ ॥
ଭାରତ ଯୁଦ୍ଧରେ ଶଖା ଅର୍ଜୁନଙ୍କ ରଥେ
ସାରଥୀ ସାଜିଲ ଅସ୍ତ୍ର ନ ଧରିଣ ହସ୍ତେ
ତବ କୃପାବଳେ ପାଣ୍ଡବ ହୋଇଲେ ବିଜୟୀ
କୁରୁକୁଳ ଧ୍ୱଂସହେଲା ଗମିଣ ବିପଥେ ॥
ଅବଶେଷେ ଦ୍ୱାରକାରେ ବସାଇଲ ରାଜ୍ୟ
ପାତ୍ର ମନ୍ତ୍ରୀ ସହ ରାଜକାର୍ଯ୍ୟ ଚଳାଇଲ
ବନ୍ଧୁ ସୁଦାମା ଦାରିଦ୍ର୍ୟ କରିଲ ଭଞ୍ଜନ
ଅଶ୍ରୁଜଳେ ପଦ ଧୋଇ ଋଣ ଶୁଝିଦେଲ ॥
ଆସନ୍ତନି ଆଉଥରେ ଏ ଧରା ବକ୍ଷରେ
ବହୁ କଂସାସୁର ଆଜି କରନ୍ତି ଉତ୍ପାତ
ଚାହେଁ ଏ ଧରଣୀ ଆଜି ତବ ଆବିର୍ଭାବ
ଆସି ଥରେ କର ପ୍ରଭୁ ସେ ସବୁ ନିପାତ ॥
