ଖୁସି ମାଲିକ ଓ ଭୃତ୍ଯର
ଖୁସି ମାଲିକ ଓ ଭୃତ୍ଯର
ବାବୁ ତୁମ ନିଶ୍ବାସରେ ମୋ ବିଶ୍ବାସ ଜୀବିତ
ଆଉଥରେ ଅଣଦେଖା କରି ଦେଖିବନି ମୋତେ?
ମୁଁ ପରା ତୁମର ସେହି "ଉଇଙ୍ଗମାଷ୍ଟର"
କେମିତି ଚାଲିଯିବ ବିନା ଗୁଡ ମଣ୍ଣିଙ୍ଗରେ
କିଏ ମୋର ବାପ କିଏ ମୋର ମାଆ
ଆଖି ଉଠିଲା ଦିନୁ ପାଇନଥିଲି ଆହାରାହା
ସେହି କେଇ ମିନିଟର "ମକା" ଦିଆ ନିଆ
ମୋତେ କରିଦେଲା କିମିଆ
ତୁମେ ସିନା ନିଃସ୍ବାର୍ଥପର, ସ୍ବାଭିମାନୀ
ମୁଁ, ଗୋଟେ ବଡ ସ୍ବାର୍ଥପର, ଅଭିମାନୀ
ତୁମେ ମୋତେ ଭୃତ୍ୟ ମାନି ନପାର
ତୁମେ କିନ୍ତୁ ସଚ୍ଚା ମାଲିକଟିଏ ମୋର
ସେଦିନ ଭୋକ ବିକଳରେ ତୁମକୁ ପିଛାକରି
ତୁମ ଘର ଭିତରକୁ ପଶି ଆସିଥିଲି
ତୁମେ ମୋତେ ସ୍ବଚ୍ଛନ୍ଦରେ ରହିବା ପାଇଁ
ଘରୁ ସିନା ବାହାର କରିଦେଲ
ତୁମ ମନ ଭିତରୁ ମୋତେ ଦୂରେଇ ପାରି ନଥିଲ
ପାର୍କର ଅନତିଦୂରେ ମୁଁ ଗଣୁଥାଏ ତୁମ ପାଦ ଚିହ୍ନ
ଟିକିଏ ବିଳମ୍ବ ହେଲେ ତୁମେ କାନ ଧରିପକାଅ
ମୁଁ ବୋକାଟାଏ ନବୁଝି ମୋ କାନ ବି ଧରି ପକାଏ
ତାପରେ ହସ ଖୁସିରେ
ବେଶ କିଛି ସମୟ ଗଡିଯାଏ
ଚଣା, ମକା, କଦଳୀ ମୋତେ ଦେଇ
ତୁମେ ଫେରିଯାଅ ପୁଣି କାଲି ଆସିବାକୁ କହି।
ବାବୁ,
ମୁଁ ଆଉ ଅଝଟ ହେବିନି ---
ମୁଁ ଆଉ ତୁମ ସାଥେ ଝଗଡା କରିବିନି ---
ମୁଁ ଆଉ ତୁମ ଘର ଭିତରକୁ ପଶି ଯିବିନି ---
ମୁଁ ଆଉ ତୁମକୁ ହରକତ କରିବିନି ---
ଏବେ ଉଠ, ସକାଳ ହେଲାଣି
ହେଇ ଶୁଣ - "ଗୁଡ୍ ମର୍ଣିଙ୍ଗ" ବାବୁ
ଆଉ କେତେ ଶୋଇଥିବ?
ବାବୁ ଉଠ, ମୁଁ ଆସିଛି ଆଜି
ତୁମକୁ ପାର୍କ ନେଇଯିବା ପାଇଁ
ମର୍ଣିଂୱାକ୍ ବେଳ ଗଡ଼ିଯାଉଛି ---
ତୁମେ କଣ ଆଉ କେଉଁଠିକୁ ଯାଉଛ କି
ଏମିତି ଫୁଲମାଳ, ଧଳା କୁର୍ତ୍ତା ପିନ୍ଧିଛଯେ?
ହଉ ଏବେ ଉଠ
ଉଠିଲେ ସିନା ଯିବ
ଉଇଙ୍ଗମାଷ୍ଟର ମାଲିକର ମୁହଁକୁ ଦେଖୁଥାଏ
ତା ଆଖିରୁ ଦୁଇଟୋପା ଲୁହ ଗଡି ପଡୁଥାଏ
ବାରମ୍ବାର ଚୁମ୍ବନ ଦେଉଥାଏ
ମାଲିକର ନିଶ୍ବାସ କୁ ପରଖୁ ଥାଏ
ନିଜ ବିଶ୍ବାସକୁ ସନ୍ଦେହ କରୁଥାଏ
ମାଲିକର ଆଖି ଖୋଲୁଥାଏ
ହାତ ଦୁଇଟାକୁ ଉଠାଉଥାଏ
ବାବୁ ଉଠ,
ଆଜି କଣ ମୋତେ ବ୍ରେକଫାଷ୍ଟରେ
ଚଣା, ମୁଗ, କଦଳୀ ଖାଇବାକୁ ଦେବନି!
ସମସ୍ତଙ୍କ ଭିତରେ ସେ ତା ମାଲିକକୁ
ନିରନ୍ତର ଖୋଜୁଥାଏ
ନିର୍ନିମେଷ ନୟନରେ ପୁଣି ଦେଖୁଥାଏ
ପୁଣି କହୁଥାଏ,
ବାବୁ ତୁମେ ପରା କହୁଥିଲ
ସବୁବେଳେ ଖୁସି ରହିବାକୁ
ତୁମ ଖୁସିରେ ମୁଁ ଖୁସି ଦେଖିଥିଲି
ଆଜି ତୁମେ ଯେତେବେଳେ ଖୁସି ନୁହଁ
ମୁଁ କେମିତି -----
ହୁଏତ ମଣିଷ ହୋଇଥିଲେ
ବୁଝି ଯାଇଥାନ୍ତା -
ବହିଗଲା ପାଣି, ଧନୁରୁ ନିର୍ଗତ ତୀର,
ମୁଖ ନିଶୃତ ବାଣୀ, ଚୀରନିଦ୍ରାରେ ବୀର
କେବେ ଲେଉଟି ଆସନ୍ତିନି ------
ସେ ତ ଗୋଟିଏ ନୀରିହ ପଶୁ ---
କେମିତି ନିଜକୁ ବୁଝାଇବ !!!
ମଣିଷଟିଏ ଅନେକ ଚେଷ୍ଟା କରୁଥାଏ
ମାଲିକ ଠାରୁ ଦୂରେଇନେବାକୁ ଉଇଙ୍ଗମାଷ୍ଟରକୁ
କିନ୍ତୁ ସେ ମଣିଷଠାରୁ ଅଧିକ "ବୋଫାଦାର"
ସେ ବା କେମିତି ଛାଡିଯିବ ମାଲିକକୁ ତା'ର ???
ବାବୁ ତୁମ ଖୁସିରେ ମୁଁ ଖୁସି -----
(ସତ୍ଯ ଘଟଣା, ଗୋଟିଏ ମାଙ୍କଡ ଏବଂ ମଣିଷ ଭିତରେ ଭଲପାଇବା ଓ ମାଲିକ ମରିଯିବାପରେ ସେ କେମିତି ବିବ୍ରତ ତାହା ଦର୍ଶାଯାଇଛି)
