STORYMIRROR

LALIT MOHAN DASH

Children Stories Comedy Tragedy

4  

LALIT MOHAN DASH

Children Stories Comedy Tragedy

ଖେଳ

ଖେଳ

1 min
250


ହସ ଲୁହ,ଝୁଣ୍ଟ ଉଠର

ଏ ପୌନଃପୁଣ୍ୟିକ ଖେଳ 

ଖେଳିଲେଣି ତ ଅନେକ,

ଦୁଃଖ ଦରିଆରେ 

ଖୋଜିଲେଣି ବି ଅନେକ

ସୁଖ ଭର୍ତ୍ତି ପ୍ରତିଶ୍ରୁତିରେ 

ଭରା ପୋତଟିକୁ।


ପୋଥିରେ ତ ଅନେକ କଥା

ଲେଖା ଯାଇଥିଲା 

ପ୍ରେମ ଓ ମୋକ୍ଷ ବିଷୟରେ,

କୋଉ ପଢି ହେଉଛି

ନା ବୁଝି ହେଉଛି!


ଇତିହାସରେ ଦିଗବିଜୟୀ

ଯୋଦ୍ଧା ମାନଙ୍କର ଖଣ୍ଡାରେ

ଆମ ଲୁହ ପୋଛିପାରିବାର 

କୌଣସି ସୂଚନା ବି ନାହିଁ।


ଆଇନଷ୍ଟାଇନ କି ଡେକାର୍ଟେଙ୍କ

ସୂତ୍ରରେ କ'ଣ ପୁରାପୁରି

ବୁଝି ହୋଇଯାଏ କି ଜୀବନ!

ଭୋକ ଶୋଷରେ ଆଉଟୁ ପାଉଟୁ

ସବାଖିଆ ସ୍ବପ୍ନମାନେ 

ଏ ସବୁ ବୁଝି ପାରନ୍ତି ନାହିଁ।


ଏ କବିତା 

ତୁମ ଶୋଇବା ଶେଜରେ 

ସୁନ୍ଦରୀ ଶଜ୍ୟା ସଙ୍ଗିନୀ 

ଉଭା କରେଇ ବାର ପ୍ରତିଶ୍ରୁତିରେ 

ମୁଖର ନୁହେଁ।


ସାରା ଦିନର ଗଧ ଖଟଣି ପରେ

ଦେହ ଦରଜ ମେଣ୍ଟେଇବା ପାଇଁ

ପେଗ୍ ଦୁଇ ପେଗ୍

ସାରା ଦିନର ମନସ୍ତାପ

ମନୋମାଳିନ୍ୟର ହାଲ

ବାହାର କରିବାକୁ 

ଗୁଣୁଗୁଣେଇବାର ଗୀତଟିଏ

କ'ଣ କବିତା!


କବିତା କ'ଣ ମୁଦ୍ରାସ୍ଫୀତି,

ମହାମାରୀ ,ବେକାରୀ

ଅନାହାର ଅର୍ଦ୍ଧାହାରରୁ‌ ମୁକୁଳିବାର

ନିର୍ଭରଯୋଗ୍ୟ ସରକାରୀ ଯୋଜନାର 

ଇସ୍ତାହାର !


ପ୍ରସିଦ୍ଧିର ଶୀର୍ଷ ଡାଳଟିଏ 

ଦେଖେଇ ଦେବାର ଦମ୍ଭ 

କ'ଣ ଦିଏ କି କବିତା?


ଅନ୍ଧାର ରାତିରେ

 ବାଟବଣା ବାଟୋଇ ପାଇଁ 

କବିତା କ'ଣ ହୋଇ ପାରେ

ଜଙ୍ଗଲ ମଝିରେ ଜୁକୁ ଜୁକୁ

ଆଲୁଅ ଜଳୁଥିବା ଗୋଟିଏ 

ନୂଆଣିଆଁ ଚାଳ ଛପରଘର?


ପ୍ରଚଣ୍ଡ ତେଜରେ 

ମୋ ଭିତରେ ନିରବଧି ଜଳୁଥିବା 

ସୂର୍ଯ୍ୟ ଟିଏ 

ତା ବିନା କିଛି ନୁହେଁ ମୁଁ

କିଛି ନୁହେଁ ମୋର ଅସ୍ତିତ୍ବ ।


ହାରଜିତର ହିସାବ ରଖୁ ନଥିବା

ଏ ଖେଳରେ ନା କେହି ରେଫରୀ

ନା କେହି କୋଚ

ନିଜେ ଇ ତ ଖେଳୁଆଡ୍

ଦେଖଣା ହାରୀ ବି।


ମୁଁ ଖେଳିବାର ଅଛି 

ଜଳିବାର ଅଛି ସେ ସୂର୍ଯ୍ୟ ସାଙ୍ଗରେ

ଭିତର ବାହାର ଏକା ପରି

ପୁରାପୁରି ଜଳିପୋଡି 

ନ ଯିବା ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍