କେମିତି ଭକତ ହେବି
କେମିତି ଭକତ ହେବି
କେମିତି ତୁମକୁ ପୂଜିବି ଠାକୁରେ
କେବେ ଦେଖିନି ମୁଁ ତୁମ ମୁହଁ
କିଏ କହେ ପୁଣି ଛଳିଆ ଠାକୁର
କିଏ କହେ ଦାରୁ ଦିଅଁ ।
ପୂଜା ଅରଚନା ଖୋଜନାହିଁ କେବେ
ଖୋଜ ତୁମେ ଭକ୍ତି ରସ
ଭକ୍ତିର ରଜୁରେ ଯିଏ ବାନ୍ଧି ଦିଏ
ହୋଇଯାଅ ତାର ଦାସ ।
ଷାଠିଏ ପଉଟି ନିତି ରନ୍ଧା ହୁଏ
ହେଲେ ତୁଷ୍ଟ ହୁଅ ତୁଳସୀରେ
ରତ୍ନ ଭଣ୍ଡାରରେ ପରିପୂର୍ଣ୍ଣ ହେଲେ
ଶ୍ରଦ୍ଧା ତୁମ ଟାହିଆରେ ।
ତୁମ ଭକ୍ତି ରସେ ଯେ ନିଜକୁ ବାନ୍ଧିଛି
ସେ ଭୁଲିଛି ସଂସାର ମାୟା
ଚତୁର୍ଦୀଗ ତାକୁ ଲାଗେ ପ୍ରଭୁମୟ
ଭୁଲେ ସେ ନିଜର କାୟା ।
କେମିତି ଭକତ ତୁମର ହେବି ମୁଁ
ଥରୁଟିଏ ଦିଅ କହି
ଲୁହ ଗଙ୍ଗାଜଳେ ତୁମ ପାଦ ଧୁଏ
ଅକୁହା କୋହକୁ ନେଇ ।
ମୋ ଦେହ ଦେଉଳେ ଆତ୍ମା ସିଂହାସନେ
ତୁମ ଛବିକୁ ଆଙ୍କିଛି
ଅଭିମାନେ ସିନା ଦେଉଳ ଯାଏନି
ହେଲେ ତୁମନାମ ନିତି ଜପୁଛି ।
ନିଦ୍ରାହୀନ ମୋର ବିନିଦ୍ର ରଜନୀ
କେବେ କରାଇବ ଅନ୍ତ
ଶୋଇଯିବି ପ୍ରଭୁ ଛଅ ଖଣ୍ଡ କାଠରେ
କାନେ ଶୁଭୁଥିବ ଗୀତା ଭାଗବତ ।
