STORYMIRROR

Samita Swain

Others

4  

Samita Swain

Others

କବିତାର ସ୍ୱର

କବିତାର ସ୍ୱର

1 min
232


ନୀଳନଦୀ ତୀରେ ସୌନ୍ଦର୍ଯ୍ୟ ବିପଣୀ

  ମନର ମାର୍ଜିତ ଭାଷା 

ଦିଗବଳୟ ଛୁଏଁ ଶବ୍ଦର ଲାଳିତ୍ୟ 

  ଆବେଗମୟ ସେ ଆଶା ।।


ଲେଖନୀ ମୁନରେ ଜୀବନ୍ୟାସ ଦେଇ 

  କାଗଜର ଛାତିପରେ

କବି ଆଙ୍କିଦିଏ ମନ ମାନଚିତ୍ର

  ବଳିଷ୍ଠ ଭାବ ଧାରାରେ ।।


ପାହାଡ, ପର୍ବତ,ନଦୀ ଓ ଝରଣା 

  ଫୁଲ ଫଗୁଣର କଥା 

ଫୁଟାଇ ଦିଏ ସେ ଆକାଶେ କୁସୁମ 

  ବେଦନା ବିଧୂର ବ୍ୟଥା ।।


ଗ୍ରହ ,ସୂର୍ଯ୍ୟ, ଚନ୍ଦ୍ର ଅନ୍ତରୀକ୍ଷେ ଯେବେ

   କରୁଥାନ୍ତି ବିଚରଣ

 କବୀ କଳ୍ପନାରେ ଭାବୁକଟେ ହୋଇ

  କରେ ତାକୁ ନିରିକ୍ଷଣ।।


ଅଗ୍ନି, ମାଟି, ପାଣି, ବାୟୁ ଓ ଆକାଶ 

  ପଞ୍ଚ ମହାଭୂତ ଯେଣୁ 

ଶରୀର ତତ୍ତ୍ୱର ଭରା ଚେତନରେ

  ସୃଷ୍ଟିର ପରାଗ ରେଣୁ ।।


ଋତୁଚକ୍ର, ନାରୀ, ପୁରୁଷ, ପ୍ରକୃତି

  ମାନବୀୟ ଧର୍ମଧାରା

ସୁସ୍ଥ ପରମ୍ପରା ସଂସ୍କାର, ସଂସ୍କୃତି 

  ଉଦାର ଭାବ ନିଆରା ।।


କର୍ମ କୁଶଳତା ରୀତି ଆଉ ନୀତି 

  ଶିକ୍ଷା, ଶାସନ ପଦ୍ଧତି

ପ୍ରଗତି କ୍ଷେତ୍ରରେ ପ୍ରଚାର ପ୍ରସାର 

  ସ୍ଥାପତ୍ୟ କଳାର ସ୍ଥିତି।।


ସୂକ୍ଷ୍ମ ରୂପରେଖ ସୁଦୂର ପ୍ରସାରୀ 

  ଦର୍ଶନ ର ଅନୁରାଗ 

ପ୍ରକୃତି ଚିତ୍ରଣ ଶତମୁଖ ଶୋଭା 

 ଭାବରେ ଭରେ ଆବେଗ।।


ଉଦାସୀ ପ୍ରାଣରେ ସ୍ନେହସଂଜିବନୀ

  ପ୍ରେମର କଅଁଳ ମନ୍ତ୍ର

ବସନ୍ତ ଆଗମେ ଭରି ଦିଏ ମନେ

  ଶୀତଳ ହିଲ୍ଲୋଳ ତନ୍ତ୍ର।।


ମଧୁର ଛନ୍ଦରେ ଭାବ ଗାମ୍ଭୀର୍ଯ୍ୟରେ

  ରସାଳ ଶୃଙ୍ଗାର ଭରି 

ମଞ୍ଜୁଳ ଆଭାରେ ପ୍ରାଚୀ ଲଲାଟରେ 

  ସଜାଏ ଲେଖନୀ ଧରି।।


ବିଚିତ୍ର ବର୍ଣ୍ଣରେ ବିଭା ବିମଣ୍ଡିତ 

  ଅବଚେତନ ମନରେ

ମୂଲ୍ୟବୋଧ ଛଳେ ସଚେତନ ବଳେ 

  ଲେଖି କାବ୍ୟ କବିତାରେ।।


କବିର କବିତା କହେ କେତେ କଥା

  ବଖାଣେ ସୃଷ୍ଟିର ସାର

କାବ୍ୟ ଜଗତର ଦିବ୍ୟ ବାର୍ତ୍ତାବହ 

   ଜୀବନାନୁଭୂତି ସ୍ୱର।।



Rate this content
Log in