କବିତା ସେ କାଳଜୟୀ
କବିତା ସେ କାଳଜୟୀ
କବି ଭାବନାର କଲମ ମୁନରେ
ଲବଣୀ ପିତୁଳା ସମ
ଜୀବନ୍ଯାସ ପାଇ ଯହିଁ ବିରାଜଇ
ଲାଗେ ଭାରି ଅନୁପମ।।
ଅନୁପମା ସେ'ତ ଅନନ୍ଯ ନାୟିକା
କବିତା କନ୍ଯା କୁମାରୀ
ମଧୁର ମଧୁର ଲାଳିତ୍ଯ ଛନ୍ଦରେ
ଭାବରେ ହୁଏ କିଶୋରୀ।।
କିଶୋରୀ କଳିକା ସଦା ସ୍ନିଗ୍ଧସୁଧା
ଝରଝର ଯାଏ ଝରି
କଳେବର ତାର ସରସ ଲାଗଇ
କ୍ଷୁଦ୍ର ନିର୍ଝରିଣୀ ପରି।।
ନିର୍ଝରିଣୀ ପରି ଘର୍ଘର ନାଦରେ
ହରଷି ପ୍ରମୋଦ ମନେ
ଚଞ୍ଚଳ ବେଗରେ ଧାବମାନ ହୋଇ
ଆବେଗ ଭରେ ଚେତନେ।।
ଚେତନ ସୁରଭି ପଦ୍ମରାଗ ପରି
କଳ୍ପନାର କୁଞ୍ଜବନେ
ନବୋଦିତ ହୁଏ ହୃଦୟ କାନନେ
ମଣି କାଞ୍ଚନ ଯେସନେ।।
ସେ ମଣି କାଞ୍ଚନ କବିର ସନ୍ତାନ
ଅମୃତା କଲ୍ଯାଣମୟୀ
ବିକଶିତ ହୁଏ କଲ୍ଲୋଳେ ଅନ୍ତରୁ
କବିତା ସେ କାଳଜୟୀ।।
