STORYMIRROR

Debadatta Mishra

Others

3  

Debadatta Mishra

Others

କବିତା_ବିଷୟରେ

କବିତା_ବିଷୟରେ

1 min
28K




ଏବେ କବିତା ଲେଖିବାକୁ ବସିଛି ଯେ
ଗୋଟିଏ ବି
ଶବ୍ଦଙ୍କର ଧରାଛୁଆଁ ନାହିଁ ,
ମୋ ବିରୁଦ୍ଧରେ
ଆନ୍ଦୋଳନ କରିଛନ୍ତି କି
'ଯୁଦ୍ଧଂ ଦେହି'ର ଡାକରା ଦେଇ !

ମୋ ମୁହଁରେ ବିରକ୍ତିର ଚିହ୍ନ ,
ମନରେ ମେଞ୍ଚାଏ ନିରାଶା ,
ଛାତିରେ ପୁଳାଏ ଯନ୍ତ୍ରଣା ,
ତାକୁ ନେଇ କବିତା ଲେଖିବି କି !

ବନ୍ଧୁମାନେ , ଶୁଭେଚ୍ଛୁମାନେ
ଏମିତି କି ପ୍ରେମିକା ବି
କେବେଠୁଁ ବରାଦ ଦେଇଛି
'ଜହ୍ନରାତି ଓ ନୀଳକଇଁ' ଉପରେ
କବିତାଟେ ପାଇଁ ।
କିଏ ଚାଷୀମୃତ୍ୟୁ , ଦାନମାଝୀ
ଆଉ କେହି ଆସିଫା ପାଇଁ
ଲେଖିବାକୁ କହିଛି ।

ସେମାନଙ୍କୁ କେମିତି ବୁଝେଇବି ଯେ
ଜୋର୍ ଜବରଦସ୍ତି କରି
କବିତା ହୁଏନି ।
ଶବ୍ଦସବୁ ଢେର୍ ବେପରୁଆ
ମନ ମର୍ଜି ଚଲାନ୍ତି
କାଗଜ ଉପରେ ।
ବାନ୍ଧି ରଖିବାର ଯୁ
ମୋର ବା କାହିଁ !

ମୁଁ ତ ଖାଲି
ସଜେଇପାରେ ଶବ୍ଦମାନଙ୍କୁ
କେବେ ପ୍ରକୃତିର ଛନ୍ଦ
କେବେ ପ୍ରେମର ଅଳଙ୍କାର ଦେଇ ।
ସେମାନେ ଆସିଲେ ତ !

ମୁଁ ପକ୍ଷୀର କାକଳି ବୁଝିପାରେ ,
ମାପିପାରେ
ନୀଳସମୁଦ୍ରର ଗଭୀରତାକୁ ,
ଶୂନ୍ୟତାକୁ ଭୋଗେ ,
ନୀରବତାକୁ ଅନୁଭବେ ,
ନାଲିଆ ସୂର୍ଯାସ୍ତରୁ ରଙ୍ଗ ଚୋରେଇ
ପ୍ରେମିକା ମୁହଁରେ ମାଖେ ।
ତା ବୋଲି କ'ଣ
ମୋର ଏକଛତ୍ରବାଦ !

ଛାଡ଼ ।
ଏବେ ଶବ୍ଦମାନେ
ଛକାପଞ୍ଝା କରୁଛନ୍ତି ତ କରନ୍ତୁ ,
ଲୁଚକାଳି ଖେଳୁଛନ୍ତି ତ ଖେଳନ୍ତୁ ।
ଥକିଗଲେ
ଆପେ ଆସି ଧରାଦେବେ ଯେ ।
ସେମାନଙ୍କ ଫାଜିଲାମି ଶେଷରେ ତ
ମୋ କବିତାର ଆରମ୍ଭ ।
*✍🏻ଦେବଦତ୍ତ ମିଶ୍ର*


Rate this content
Log in