କଅଁଳ କଢ଼ି ଶିଶୁ
କଅଁଳ କଢ଼ି ଶିଶୁ
କମଳ ପରି କୋମଳ ଶିଶୁ
ଓଠ ଯୋଡ଼ିକ ନାଲି
ଧରିକି ଟିକେ ଗେଲ କରିଲେ
ହସେ ସେ ଖିଲି ଖିଲି।
ଚନ୍ଦ୍ର ଉଦିଆ ମୁହଁ ଟି ତାର
କେତେ ଯେ ମନୋହର
ଗୋଲ୍ ଗୋଲ୍ ଆଖି ଚଞ୍ଚଳ କରେ
ଅନେଇ ଚଉପୂର ।
ଗୁରୁଣ୍ଡି ଗୁରୁଣ୍ଡି ଗଲେ ତ ସିଏ
କଇଁଛ ପରି ବୁଲି
ଠୁକୁରୁ ଠୁକୁରୁ ଚାଲି ତାହାର
ସତେ ରାଜହଂସ ଚାଲି ।
ପିତା ମାତା ଯେ ଖୁସି ହୁଅନ୍ତି
ଦେଖି ଶିଶୁର ଠାଣି
ଦୁଃଖ ତ ସବୁ ଦୂର କରନ୍ତି
ହସ ଦିଅନ୍ତି ବୁଣି ।
ଶୋଇଥିଲେ ସେ ଭାରି ଶୀତଳ
ନିଦ ଭାଙ୍ଗିଲେ ରଡ଼ି
ମାଆକୁ ତା'ର ଖୋଜେ ସେ ସଦା
ନହେଲେ ତଳେ ଗଡ଼ି।
କଥା ତାହାର କୋଇଲି କଣ୍ଠ
ଖଣ୍ଡି ଖଣ୍ଡିକା ଭାଷା
ଶୁଣିବ ସିଏ ଯେଉଁ କଥାକୁ
କହିବା ପାଇଁ ଆଶା ।
ଚିହ୍ନା ଲୋକଙ୍କ ପାଖକୁ ଧାଏଁ
ଅଚିହ୍ନା ଲୋକଙ୍କୁ ଡର
ସ୍ନେହ ଆଦର କରିଲେ କେହି
ପରକୁ ଭାବେ ନିଜର।
ସଂସ୍କାର ଦେଇ ଗଢ଼ିବ ସେଇ
କଅଁଳ ମାଟି ପିଣ୍ଡୁଳା
ସେହି ପ୍ରକାରେ ବଢିବ ସିଏ
ନ ହେଇ ଅବହେଳା ।
ଛୋଟ ଶିଶୁକୁ ଜ୍ଞାତ ନଥାଏ
କେଉଁଟା ଭଲ ମନ୍ଦ
ଉତ୍ତମ ଶିକ୍ଷା ପାଇଲେ ଶିଶୁ
ହୋଇବ ଦିନେ ଚାନ୍ଦ।
