କାଳିଆ ସାଆନ୍ତ
କାଳିଆ ସାଆନ୍ତ
ଏଡେ ଭାଗ୍ୟ ସତେ ମୋର ହେବ କି
ତୋର ରଥଯାତ୍ରା ଦେଖି ଯିବି ପୁରୀ କି
ବଡଦାଣ୍ଡେ ତିନି ରଥଙ୍କୁ ପ୍ରଣମିବି ଯାଇ ପାଖକୁ
ଅରୁଣସ୍ତମ୍ଭକୁ ଦୁଇବାହୁ ଭରି ଧରି ନେବି କି ।।
ଚାହିଁବି ତୋ ନୀଳଚକ୍ରକୁ ଫରଫର ତୋର ନେତକୁ
ପତିତପାବନ ଦରଶନ କରି ମୁଁ ଧନ୍ୟ ହେବି କି।।
ଝୁଲାଇ ତୋ ଫୁଲ ଟାହିଆ ଆସୁଥିବୁ ଯେବେ କାଳିଆ
ତୋ ଧାଡି ପହଣ୍ଡିକୁ ଦଇତାଙ୍କ ମେଳେ ଦେଖି ଦେବି କି।।
ତୋ ଗଳେ ଥିବ ଦୟଣା ମାଳ ତାଳେ ହଲୁଥିବ ଟାହିଆ ଚୂଳ
ତୋ ନାଲି ଅଧରରୁ ଝରୁଥିବା ହସ ଦେଖୁଥିବି କି ।।
ବାଜୁଥିବ ଘଣ୍ଟ ଘଣ୍ଟା କାହାଳୀ ଶଙ୍ଖ ହରିବୋଲ ହୁଳହୁଳି
ଛତ୍ର ଛତ୍ରୀ ଧରି ଭକତେ ତୋ ଆଗେ ନାଚୁଥିବେ କି।
କେ' ବା ଭାବବିହ୍ବଳ ହୋଇ ନାଚୁଥିବେ ସୁବେଶ ହୋଇ
ସେ କିର୍ତ୍ତନିଆଙ୍କର ଦଳରେ ମିଶି ମୁଁ ନାଚି ଯିବି କି ।।
ଯେବେ ଚାରମାଳରେ ଚଢି ବସି ଯିବୁ ତୁ ଚକା ମାଡି
ଶ୍ରୀ ନଅରରୁ ଗଜପତି ରାଜା ଆସିବେ ତାମଯାନି ଚଢି କି।।
ତୋ ରଥେ ଛେରାପହଁରା କରି ପ୍ରମାଣିବେ ତାଙ୍କ ସେବକଗିରି
ନିଉଛାଳି ହୋଇ କହିବେ ହେ ପ୍ରଭୁ ବିଜେ କର ଏବେ ଜନ୍ମଭୂଇଁକି।।
ତୁ ଦୁଇଭୁଜ ପ୍ରସାରି ଦେବୁ ଭକତେ ହୋ ଆସ ଆସ କହିବୁ
ଦେଉଳ ଛାଡି ମୁଁ ଆସିଛି ତୁମକୁ ଦରଶନ ପରା ଦେବା ପାଇଁକି।।
ଭକତେ ତୋ ମନକୁ ଜାଣି ନେବେ ରଥ ଦଉଡି ଟାଣି
ଶରଧାରେ ଭିଡି ଭଡି ନେବେ ରଥ ବଡଦାଣ୍ଡରୁ ଶରଧାବାଲି କି।।
ସାତ ଦିନ ଗୁଣ୍ଡିଚା ଘରେ ସୁଖେ ରହିବୁ ଆଢପ ମଣ୍ଡପରେ
ଅଷ୍ଟମ ଦିନେ ଫେରିବୁ ମାଉସୀମା ପୋଡ ପିଠା ଖାଇକି ।।
ତୋ' ପରିକା ଭାବର ଦିଅଁ ସଂସାରେକେ ଅଛି କି କହ
ସ୍ତିରୀ ଛାଡି ଘରେ ବୁଲି ଯାଏ ସାଙ୍ଗେ ଭାଇ ଭଉଣୀଙ୍କୁ ନେଇକି ।।
ମାଆ ଲକ୍ଷ୍ମୀ ମାନ କରିବେ ତୋ ରଥକୁ ରୋଷେ ଭାଙ୍ଗିବେ
ଫେରିଲା ବେଳକୁ ଦେଇଥିବେ ସିଂହଦ୍ଵାର କିଳି କି ।।
କେତେ ହଟହଟା ତୁ ହେବୁ ରସଗୋଲା ଦେଇ ମାନ ଭଙ୍ଗିବୁ
ଦ୍ୱାର ଫିଟାଇବେ ମାନମୟୀ ମହାଲକ୍ଷ୍ମୀ ତେବେ ଯାଇକି ।।
ଧନ୍ୟ ତୁହିରେ ଚକାଡୋଳା ଧନ୍ୟ ତୋ'ର ମାନବ ଲୀଳା
ରଚିଅଛୁ ପରା ଏ ନୀଳାଚଳରେ ରହିବାକୁ ଯୁଗ ଯୁଗ ପାଇଁକି।।
ମୁଁ ଯେ ଅଟେ ମହାପାତକୀ ଝୁରି ମରୁଛି ତୋ କୃପା ପାଇଁକି
ଉଦ୍ଧାର କରିବ ମୋତେ କି ପ୍ରଭୁ ହେ ଶ୍ରୀଚରଣେ ଟିକେ ଆଶ୍ରା ଦେଇକି ।।
