କାହିଁକି ଲେଖିବି କବିତା
କାହିଁକି ଲେଖିବି କବିତା
କାହିଁକି ଲେଖିବି କବିତା ?
ମନକୁ ଆସୁଥିଲା ଲେଖିବା ପୂର୍ବରୁ
ଏବେ ବି ଆସେ ବାରମ୍ବାର
ତିନୋଟି ଶବ୍ଦର ଏ ସଂକ୍ଷିପ୍ତ ପ୍ରଶ୍ନଟିଏ
ଉତ୍ତର ଯେତେ ଭାବିଲେ ହୁଏ ଦୀର୍ଘ
ଲେଖିବା ତ ମନର ପ୍ରବଳ ଇଚ୍ଛାଶକ୍ତି
ଉଦ୍ୟମ ପ୍ରଚେଷ୍ଟାର ଏକ ସାଧନ
ଉଷ୍ଣପ୍ରସବଣ ପରି ଉଦ୍ଗିରଣ ହୁଏ
ସେ ପ୍ରାକୃତିକ ଭାବେ ସ୍ବତଃ ପ୍ରବୃତ୍ତ
ଶବ୍ଦ ଭାବ ଭାଷାକୁ ନେଇ
ହୃଦୟର ଚିନ୍ତା ଚେତନାକୁ ରୂପ ଦିଏ
ଅନ୍ତରରୁ ଆସେ ଆହ୍ବାନ ଦିଏ ପ୍ରେରଣା
କଲମ ଧରି ହାତ ଲେଖି ଯାଇ
କାଗଜ ପୃଷ୍ଠାରେ ପୃଷ୍ଠା ପୃଷ୍ଠା ଅନେକ
ମନର ଇଙ୍ଗିତରେ ନିର୍ଦ୍ଦେଶରେ
ଭାବ ଭାଷାକୁ ସୁନ୍ଦର ମାର୍ଜିତ କରି
ଅନୁଭବ ଅନୁଭୁତିକୁ ସାଥୀରେ ଯୋଡି
ଶିକ୍ଷା ଦୀକ୍ଷା ହୋଇଥାଏ ତାର ସହାୟକ
ଲେଖୁ ଲେଖୁ ଜଣେ ହୁଏ କବି
କଳ୍ପନାର ଏକ ଭିନ୍ନ ରାଜ୍ୟରେ ସେ
କରିଥାଏ ବିଚରଣ ଚିନ୍ତା ଚେତନାକୁ ନେଇ
କବିଟିଏ ନିଜର ଦକ୍ଷତା ଅଭିଜ୍ଞତା
ଅନୁଯାୟୀ ଲେଖେ ବାସ୍ତବ ସତ୍ୟ
ଲେଖେ ତାର ଇପ୍ସିତ ଭାବନାର ଆଶା ସବୁ
ସମାଜର କ୍ରମ ବିକାଶ ବିଲୟର
ସକରାତ୍ମକ ନକରାତ୍ମକ ବହୁ ଗାଥା
କାହିଁକି ଲେଖିବି କବିତା ?
ପ୍ରଶ୍ନର ଉତ୍ତର ପାଇଥାଏ ତା' ମନକୁ ମନ
ଅନୁଭବ କରେ ଯେବେ ଅପୂର୍ବ ଆନନ୍ଦ
ମନ ଏକାଗ୍ରତାରେ ହୁଏ ଧ୍ୟାନସ୍ଥ
ଲଭିଥାଏ କବିଟିଏ ଆତ୍ମସନ୍ତୋଷ
ଭୁଲିଯାଏ ନିଜକୁ କବିତାର ପଦଛନ୍ଦରେ
ଉପମା ଅଳଙ୍କାର ଦିଏ ଛନ୍ଦି
ନବରସେ ସୃଷ୍ଟିର ସମ୍ଭାର ହୁଏ ରସାଣିତ
ସମୟ ବି ହୁଏ ତା' ପାଇଁ ଅକୁଳାଣ
ପୁନଶ୍ଚ ଶାନ୍ତି ତୃପ୍ତି ପାଏ ଅସୀମ
ଯେବେ ତାର କବିତା ସ୍ଵୀକୃତି ପାଏ
ଅସଂଖ୍ୟ ପାଠକଙ୍କର ଦ୍ବାରା
ଶ୍ରମ ତାର ସାର୍ଥକ ହୁଏ ସଫଳତା ପାଏ
ମନ ତାର ପୁରିଯାଏ ଉଦରତାରେ
ଭାଷା ସାହିତ୍ୟ ହୁଏ ସମୃଦ୍ଧ
ପରମ ସ୍ରଷ୍ଟାଙ୍କ ସୃଷ୍ଟିକୁ ଦିଏ ସମ୍ମାନ
ଜୀବନ ତମାମ କରି ଚାଲେ ଅନୁସରଣ
ମନକୁ ଆଉ ଆସେନା ସେ ପ୍ରଶ୍ନ
କାହିଁକି ଲେଖିବି କବିତା ।