ଝଡ
ଝଡ
ଆକାଶ ରେ ମେଂଚା ମେଂଚା ବାଦଲ
ସୂର୍ଯ୍ୟା ନାହିଁ, ଜହ୍ନ ନାହିଁ ,ତାରା ନାହିଁ
ଲଣ୍ଡା ପାହାଡ ର ଫୁଙ୍ଗୁଳା ମଥାନ ଉପରେ
ଦୋଳି ଖେଳୁଛି କଳା ମଚମଚ ମେଘ ଖଣ୍ଡ
କୁଣ୍ଡଳୀ କୁଣ୍ଡଳୀ ଧୂଆଁ ର ଆବରଣ
ଲମ୍ବିଛି ଯେ ଲମ୍ବିଛି ସଚରାଚର
ବିଶ୍ବ ବ୍ରହ୍ମାଣ୍ଡ ,ମାଟିରୁ ଆକାଶ
ଭିନ୍ନ ରୂପ ଭିନ୍ନ ରଂଗ ପୁଣି ଭିନ୍ନ ଆକର୍ଷଣ
ପ୍ରକୃତି କୁ ଜୟ କରିବାର ଅଦମ୍ୟ ଅନ୍ବେଷଣ ।।
ଋତୁମାନେ ବଦଳିଗଲେ
ବଦଳିଗଲା ପ୍ରକୃତି
ବଦଳି ଗଲା ଭୂଗୋଳ
ଇତିହାସ ବି ବଦଳିଗଲା
କେତେ ଗବେଷଣା ନୂଆ ନୂଆ କୌଶଳ
ଜାବୁଡି ଧରିଛି ସୃଷ୍ଟି କୁ
ସକାଳରୁ ସଂଜ ଅସୀମରୁ ସସୀମ ପର୍ଯ୍ୟନ୍ତ
କେତେ କେତେ ଅଛିଣ୍ଡା ଗାଣିତିକ ସୂତ୍ର
ଅନାବୃତ୍ତ ଓ ଅଣାୟତ
ବାନ୍ଧି ରଖିଛି ମଣିଷକୁ
କେଉଁ ଏକ ଆଦିମ କାଳରୁ ଅଦ୍ୟାବଧି
ତଥାପି ଅସହାୟ,ଅପରିତୃପ୍ତ ଏ ଜୀବନ ।।
ଏକଲୟରେ ଚାହୁଁଥିଲି ମୁଁ
ଧୂମାନ୍ତ ଆକାଶର ପ୍ରଶସ୍ତ ଛାତି କୁ
ଚାରିଆଡ ଶୂନ ଶାନ
ନିଃଶବ୍ଦ ନିଥର ନୀରବ ଖାଁ ଖାଁ
କୁଢ କୁଢ ଶୂନ୍ୟତାର ଲୁହ
ଛଳନାର ଦୁର୍ଗ ମଧ୍ୟେ ବନ୍ଦୀ
ରାତି, ସ୍ବପ୍ନ ଓ ଜୀବନ ।।
ଏମିତି କାହିଁକି ହୁଏ
ବେଳେ ବେଳେ ଜୀବନଟା କାହିଁକି ଧୋକାଦିଏ
କିଛି କରିବାରେ ନଥାଏ
ଛଳନାକୁ ଛାତିରେ ଜାବୁଡି
ପରମ ଶାନ୍ତି ରେ ଶୋଇବାକୁ ହୁଏ
ସକାଳ ପର୍ଯ୍ୟନ୍ତ ଶୂନ୍ୟ ବିଛଣାରେ
ଅଜାଡି ପଡେ ଯାହା
ମୁଠା ମୁଠା
ଲୁହ ,ଲହୁ ଓ ସ୍ବେଦ ବିନ୍ଦୁ ।।
ଏବେ ଉଜୁଡା କ୍ଷେତ ପରି
ଆଖିଏ ନିଦ ନେଇ ଭାବେ
ଜୀବନ କ'ଣ ଅଦିନିଆ ଝଡ ?
ଖୋଲା ଆଖିରେ ଦିଶେ କ'ଣ
ସ୍ବପ୍ନ ର ଉଇହୁଙ୍କା ?
କେତେ ଫିକା ସତେ
ଆଜିକାଲିର ରାତି ଓ ଦିନ
କେତେ ଫରକ ସତେ
ସେଦିନ ଓ ଆଜିର ୠତୁ ମଧ୍ୟ ରେ ।।
ଏବେ ଆଉ ଦେଖି ହେଉନି ପ୍ରଜାପତି
ଶୁଣି ହେଉନି ପକ୍ଷୀର ଗୀତ
ବଦଳି ଯାଇଛି ପ୍ରେମୠତୁ
ଖେଳି ହେଉନି ଲୁଚକାଳି
ଖଣ୍ଡିଆଭୂତଙ୍କ ସହିତ
ରତ ରତ ଦିନ ଡାହାଣିଆ ଖରାବେଳ
ସବୁ ଯେମିତି ବିପର୍ଯ୍ୟସ୍ତ
ଅଧାଜଳା ମହମ ପରି ଅଧୁରା ସ୍ବପ୍ନ ।।
ଝଡ ଆସି ବେଗୁଲ୍ ଫୁଙ୍କିଲାଣି
ଆଉ କି ଭୟ ଯେ !
ଆଉ କୋଉ ଅଛି ଲୋଭ ଅଟକିଯିବାର
ଘୁସୁରି ଘୁସୁରି ତ
ସରିଗଲାଣି ଜୀବନ
ସ୍ପଷ୍ଟ ଦୃଶ୍ୟମାନ ବିଭୀଷିକା ର ତାଣ୍ବବ
କିଏ ଜାଣେ
ହଠାତ୍ ରାସ୍ତା ର ଲମ୍ବା ଚଟାଣରେ
ପିଟି ହୋଇଯିବ କେଉଁଦିନ
ପଡିଯିବ ସୁଦୀର୍ଘ ପୂର୍ଣ୍ଣଛେଦ ।।
------------------
ଶରତ କୁମାର ଦାସ
