"(ଇତି )"ମୁଁ ଫେରିଲେ 'ତୁମର'..
"(ଇତି )"ମୁଁ ଫେରିଲେ 'ତୁମର'..


ନାଁ, ମୁଁ ସତ୍ୟବାନ..
ତୁମେ ମୋ ସାବିତ୍ରୀ, କିନ୍ତୁ..
ମୁଁ ଆଶ୍ଳେଷ ଆକାଶ, ଆଉ 'ତୁମେ'..
ତୁମେ ମୋ ବିଷର୍ଣ୍ଣ ପୃଥିବୀ..!
ମୋ ଅବଦମିତ ସ୍ମୃତି ଚୌହଦୀରେ
ତୁମର ସେ ଚୋରା ବସନ୍ତର ଚିଠି,
ମନେପଡେ ଚାରୁ ଚନ୍ଦ୍ରଵଳୀ ଅଙ୍ଗରେ ତୁମ
କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସେ ବିଭୋର ଅଙ୍ଗଭଙ୍ଗୀ,
ଛବିଳ ମଧୁ ବର୍ଣ୍ଣବୋଧର ସେହି ବିଦଗ୍ଧ ଲିପିରେ
ବର୍ଣ୍ଣିତ ଲୋହିତ ଶାଣିତ ଉକ୍ତି..,
"କଳାକାହ୍ନୁ," ତୁମେ ଅତି ସୁନ୍ଦର..
"ଇତି" 'ମୁଁ ତୁମର'..!
ତୁମ ପ୍ରିୟତମା ରାଧା"..
ଖାସ ମୁଁ 'ତୁମର'..!
ସେ ଅଶ୍ରୁଳ ସମ୍ଭାର,
ତୁମ ହୃଦୟ ସ୍ଫୁରିତ ଭାଷା,
ଦୁର୍ବାସାର ଉକ୍ତି,
ମିଳେ କାହିଁ ମୁକ୍ତି..?
ବିସ୍ମୃତ ସେ ବଂଶୀ ସ୍ଵନ,
ଶ୍ରୀହୀନ ମୟୂର ଚନ୍ଦ୍ରିକା,
ଝୁରେ ସେ କଦମ୍ବ ଏବେ,
ଝୁରୁଛି ଯମୁନା, ଗୋପୀ ଗୋପାଙ୍ଗନା,
ଚନ୍ଦ୍ରଚୂଡର ନିରୁଦବିଘ୍ନ ଛାତି,
ଏବେ ଶୂନ୍ୟ, ଅସମ୍ପୂର୍ଣ୍ଣ କୃଷ୍ଣଚନ୍ଦ୍ର,
ଗୋପରେ ଶ୍ରୀରାଧା..!
ପ୍ରବାସେ ସାବିତ୍ରୀ ଆଉ ପ୍ରବାସୀ ମଥୁରା,
କସ୍ତୁରୀ ବାସ ଲଭେ ମରୁ ତୃଷ୍ଣା ଛାୟା,
ଉଦଗ୍ରୀବ ସେ କାଶତଣ୍ଡୀ,
ବିବର୍ଣ୍ଣ ଗୋଧୂଳି, ତୃଷ୍ଣାରେ..
କ୍ରୂର ମରୁ ମରୀଚିକା..!
ବଶମ୍ବଦ ମୁଁ..,
ଅବଶୋଷ ଶ୍ରେୟ,
ଉଜାଣି ଯମୁନା..!
ପ୍ରାଣପ୍ରିୟ ମୁଁ,
ତୁମେ ପ୍ରେୟସୀ ପ୍ରିୟତମା,
ବକ୍ଷେ ଅକ୍ରୁରଙ୍କ ଶେଷ ଇଚ୍ଛା,
କଣ୍ଠେ 'ଅକ୍ଷୟ ହେଉ ପୁଣ୍ୟ ଜଗତେ'ର ଶ୍ଳୋକ ,
ଶ୍ରୀଅଙ୍ଗେ ବଜ୍ରକାପ୍ତାର କାତି,
ସତ୍ୟବାନ ମୁଁ,
'ଦେହି ପଦ ପଲ୍ଲଵ ମୁଦାରାମ' ରେ ଭକ୍ତି,
ଏହି ମୋର ଅଳି, ଏଇ ମୋ ଅର୍ଦ୍ଦଳି,
ଉପସଂହାରରେ ଅଛି,
ଅସହାୟ ପଦବାଚୀ ଶବ୍ଦ..
"ଇତି" ନାମକ ସୁରକ୍ଷାର ପଂକ୍ତି,
'ତୁମ' ଅତି ଆପଣାର..
..."ମୁଁ"...
'ଫେରିଲେ ତୁମର'..!!
ଖାସ "ତୁମର"..!!!