ହୃଦୟ ର ଗୀତ
ହୃଦୟ ର ଗୀତ
ଆଜି ସବୁ ଅଳିନ୍ଦ ନିଳୟ ପୋଡିଯାଏ...
ସବୁ ସ୍ୱପ୍ନ ମୋର ଭାଙ୍ଗିଯାଏ...
ତୁମ ଶବ୍ଦର ତୀକ୍ଷ୍ଣ ପ୍ରହlରରେ...
ସବୁ ଆଶା ମଉଳି ଯାଏ...
ତୁମ ପ୍ରତାରଣାର ଲେଲିହାନ ଶିଖାରେ..
ଫଗୁଣ ରେ ପଲାଶ ବି ଦିଶେ ରଙ୍ଗ ହୀନ..
ଆକାଶର ନୀରବତା ଲାଗେ ଭାଷା ଶୂନ୍ୟ..
ପୃଥିବୀର ଅକୁହା ବେଦନା ଲାଗେ ଶବ୍ଦ ଶୂନ୍ୟ..
ନିଶବ୍ଦ ଆକାଶ ରେ ଶୁଭେ ପୁଣି ବେଦନାର ସ୍ୱନ..
ଫଗୁଣ ବି ଲାଗେ ରଙ୍ଗହୀନ....
ଅବିର ବି ହୋଇଯାଏ ବେରଙ୍ଗ ମୋ ପାଇଁ..
ବେସୁରା ଲାଗେ ସେ କୋଇଲି ସ୍ୱନ...
ଭାଙ୍ଗିଯାଏ ମୋର ହୃଦୟ ମୋ ମନ...
ଗାଇ କି ପାରିବି ପ୍ରିୟ ହୃଦୟ ଗୀତ...
ଭୁଲିଗଲା ପରେ ସବୁ ସଂଗୀତର ସ୍ୱନ..
ନିସ୍ତବ୍ଦ, ନିଃଷ୍ପ୍ରଭ ଆଜି ଏ ଜୀବନ...
ଶୁଖିଲା ପତ୍ର ସମ ଲାଗଇ ବିବର୍ଣ୍ଣ...
ଲାଗେ ସବୁ ଆଜି ମିଛ, ଆଶାଶୂନ୍ୟ... ll
ଦୂର ଦିଗବଳୟ ଆଜି ହାତ ଠାରେ...
ଶ୍ୱାସ ନିଃଶ୍ୱାସର ଖେଳ ତ ଜୀବନ..
ବଞ୍ଚିବା ମରିବା ମୋପାଇଁ ସମାନ...
ଧରାର କୋହରେ ଶୁଭେ ସଂଗୀତର ମୂର୍ଚ୍ଛନା..
ସଙ୍ଗୀତ ସ୍ୱନରେ ଝରେ ମୋ ହୃଦ ବେଦନା..
ଜୀବନ ଗୀତ, ଜୀବନ ସଙ୍ଗୀତ...
ଗାଇବି ମୁଁ ନିର୍ବିକାର ଭାବେ...
ଚାଲିଥିବି ସେ କଣ୍ଟକିତ ପଥେ..
ହେବି କାହା ପାଇଁ ମୁହିଁ ଆନମନା...
ନାହିଁ କିଛି ଆଶା ନାହିଁ ମୋ ଅଭୀପ୍ସା..
ଆଜି ଚିର ସ୍ତବ୍ଧ ପୁଣି ମୋ ହୃଦୟର ଭାଷା ll
