STORYMIRROR

Mamatamanjari Das

Others

3  

Mamatamanjari Das

Others

ହୋ ସାଆନ୍ତେ

ହୋ ସାଆନ୍ତେ

1 min
147

ହୋ ସାଆନ୍ତେ  

ଥରୁଟିଏ ଦେଖିଯାଅ ଆସି

ତୁମ ଦିଆ ଗରଳକୁ ପିଇ ପିଇ

ଯନ୍ତ୍ରଣାରେ ଛଟପଟ ଏହି

ପାର୍ଥିବ ଶରୀରରଟି ମୋର

ଜୀଇଁବାର ଅଭିନୟ କରୁ କରୁ

କିପରି ନିଇତି ମରୁଛି ।

ତୁମେ କଣ ଦେଖି ପାରୁନ

ତୁମର ଛଳନା ମୋତେ ନିଇତି ଜାଳୁଛି

ଗୀତା  ଭାଗବତ ରାମାୟଣ କୁ

ମୁଁ ନଦୀ ସ୍ରୋତରେ ପ୍ରବାହିତ କରିଛି

ତୁମ ପ୍ରବଞ୍ଚନାର ପ୍ରତିଟି ପୃଷ୍ଠାକୁ

ମୁଁ ନିଇତି ଓଲଟାଇ ଚାଲିଛି ।

କଣ ଦେଖୁଛ ହୋ ସାଆନ୍ତେ  

ମୁଁ ଆଉ ଏବେ ନିରୋଳାରେ ବସି

ଲୁହ ଗଡାଉନାହିଁ ମୁଁ

କାହିଁକି ଢାଳିବି କୁହତ  

ତୁମେ ପରା ପାଶାଣର ମୂର୍ତ୍ତି

ମୋ କଥା ତୁମେ ଶୁଣିଥାଆନ୍ତ ବା କିପରି ?

ଆଉ ଏବେ ମୋର ଲୋଭ ଆସୁନି

ମୟୂର ଚନ୍ଦ୍ରିକା ଦେଖି

ତୁମର କେଶବିନ୍ୟାଶ କରିବାକୁ

ରାତ୍ରିର ଅନ୍ତିମ ପ୍ରହରୁ ଉଠି ଫୁଲତୋଳି

ତୁମକୁ ସଜାଇବାକୁ ରଙ୍ଗ ବେରଙ୍ଗ କପଡାରେ ।

ତୁମେ କଣ ଦେଖିପାରୁନ ହୋ ସାଆନ୍ତେ

ତୁମକୁ ଶୁଣାଉଥିବା ଗୀତଗୋବିନ୍ଦର ପ୍ରତିଟି ପଙ୍କ୍ତିକୁ

ମୁଁ ଏବେ କାଢ଼ି ଫିଙ୍ଗିଦେଇଛି

ମୋ ହୃଦୟ ତନ୍ତ୍ରୀରୁ  

ମୁଁ ଏବେ ମୋହ ମୁକ୍ତ ହୋ ସାଆନ୍ତେ

ପ୍ରତିଟି ସ୍ମୃତିକୁ ଗଣ୍ଠି ପକାଇ ଦେଇଛି

ମୋ ପିନ୍ଧା ପଣତରେ ।

ମୋର ସରିଆସୁଥିବା ବାକି ଆୟୁଷକୁ

ଶୁଖିଲା ପତ୍ର ପରି ଭସାଇ ଦେଇଛି

ନଦୀର ଉଜାଣି ସ୍ରୋତରେ  

ତୁମ ସର୍ଜନାର ପିତୁଳା ଟିଏ ମୁଁ

ତଥାପି ଦେଖ ହୋ ସାଆନ୍ତେ

ମୁଁ ଭାଙ୍ଗି ପଡିନି ତୁମର ନିର୍ଧୁମ ପ୍ରହାରରେ ।

ଏବେବି ବଞ୍ଚିଛି ହୋ ସାଆନ୍ତେ

ଝୁଣ୍ଟି ପଡି ଉଠି ଚାଲିଛି ଆଗକୁ ଆଗକୁ

ବିନା କାହା ସାହାରାରେ  

ମୁଁ କିନ୍ତୁ ଏବେ ଆଉ ସଙ୍କୁଚିତ ହୋଇ ରହିନି

କ୍ଷଣିକ ମୋହ ମାୟାରେ ହୋ ସାଆନ୍ତେ

ଏବେ ଆଉ ନିଜକୁ ନିମଗ୍ନ କରୁନି

ତୁମ ପୂଜାପାଠରେ ସାଆନ୍ତେ

ମନ୍ଦିରର ଘଣ୍ଟି ବଦଳରେ ମୋତେ ଶୁଭୁଛି

ଅସହାୟ ଲୋକଙ୍କ ଆକୁଳତାର ସ୍ୱର

ମୁଁ ହୃଦବୋଧ କରିପାରୁଛି

ସେମାନଙ୍କର କରୁଣ ଚିତ୍କାର

ହେଲେ ମୁଁ ଏବେ କ୍ଳାନ୍ତ ହୋ ସାଆନ୍ତେ

ମୁଁ ମିଶି ଯିବାକୁ ଚାହୁଁଛି

ମାଟି ମାଆର ଅନନ୍ତ କୋଳରେ

ମୁଁ ନିର୍ଲିପ୍ତ ହେବାକୁ ଚାହୁଁଛି

ସମୁଦ୍ରର ଅନନ୍ତ ବକ୍ଷରେ ହୋ ସାଆନ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍