ହନୁମାନ ଜୟନ୍ତୀ
ହନୁମାନ ଜୟନ୍ତୀ
ଜୟ ବଜରଙ୍ଗୀ ଜୟ ହନୁମାନ
ଜୟ ଅଞ୍ଜନା କୁମର,
ସଙ୍କଟ ମୋଚନ ପବନ ତନୟ
ବାରେ ମୋତେ ଦୟା କର ।।
ଜୟ ବାୟୁ ସୁତ ଲେଖିବି ତୋ ଗୀତ
ଅପୂର୍ବ ଶ୍ରୁତି ମଧୁର,
ଶ୍ରବଣ ମାତ୍ରକେ ପାପ କ୍ଷୟ ଯିବ
ରାମ ଦୂତ ମହାବୀର ।।
କୁଞ୍ଜସ୍ଥଳା ନାମେ ଥିଲେ ଅପସରି
ରୂପ ଗୁଣେ ଅନୁପମ,
ନିଘଞ୍ଚ କାନନେ କୌତୁକେ ବିହରି
ଦେଖିଲେ ଋଷି ପ୍ରତିମ।।
ଦୀର୍ଘ ଦିନ ଧରି ତପ ଆଚରିଣ
ଶରୀରେ ଉପୁଜି ଲୋମ,
ଧୂଳି ମଳି ପଡ଼ି ଲୋମ ର ଉପରେ
ଦିଶୁଥିଲେ କପି ସମ ।।
କୁଞ୍ଜସ୍ଥଳୀ ଅପସରୀ କୌତୁକ ରେ
ଥଟ୍ଟା ପରିହାସ ଛଳେ,
ଫଳ, କାଠି, କୁଟା ଋଷି ଙ୍କ ଉପରେ
ବାରମ୍ବାର ନିକ୍ଷେପିଲେ ।।
ତପ ଭଙ୍ଗ ହେଲା ତପଚାରୀ ଙ୍କ ର
କ୍ରୋଧେ ଅଭିଶାପ ଦେଲେ,
ବାନରୀ ପରିକା ଆଚାର ତୋହର
ବାନରୀ ହୁଅ ତୁ ଭଲେ ।।
ଅଭିଶାପ ପାଇ ଅପସରୀ ଦୁଃଖେ
ହୋଇଣ ଅତି ବିନୟ,
ମୁକୁଳିବି କେହ୍ନେ ଆହେ ତପି ସାଇଁ
କୁହନ୍ତୁ ତାର ଉପାୟ ।।
ଅଭିଶାପ ମୋର ନ ହେବ ଅନ୍ୟଥା
ଯାଅ ଅଭିଶାପ ଧରି,
ଯାହାକୁ ଦେଖିଲେ ହେବ ପ୍ରେମ ଭାବ
ହୋଇବୁ ନିଶ୍ଚେ ବାନରୀ।।
ବିଷାଦିତ ମନେ କୁଞ୍ଜ ବେଗେ ଯାଇ
ସଚୀପତି ଅଗ୍ରେ ମିଳି,
ଅଭିଶାପ ତୋର ଫଳିବା ଆଗରୁ
ବର ଟିଏ ଯାଚି ଦେଲି ।।
ଯାଅ ମର୍ତ୍ତ୍ୟ ପୁର ଭେଟିବୁ କୁମର
ସେହି ଯୁବା ପ୍ରେମେ ପଡ଼ି,
ରାଜ କୁମାର ସେ ନାମ ତା କେଶରୀ
ହେବ ପତି ପତ୍ନୀ ଯୋଡ଼ି ।।
ଶିବ ଅଂଶୁ ଜାତ ବଳଶାଳୀ ସୁତ
କୋଳରେ ଖେଳିବ ଯେବେ,
ତେବେ ଯାଇ ତୁମ୍ଭେ ହେବ ଶାପ ମୁକ୍ତ
ଚିନ୍ତା କର ନାହିଁ ଲବେ ।।
ତଦନ୍ତ ରେ କୁଞ୍ଜସ୍ଥଳା ଯାଇ ମର୍ତ୍ତ୍ୟେ
କୁଞ୍ଜର ରାଜାଙ୍କ ଘରେ,
"ଅଞ୍ଜନା" ନାମରେ ଜନମ ଲଭିଲେ
ସୁନ୍ଦର ରୂପ ଗୁଣରେ ।।
ସଖି ଘେନି ଦିନେ ବନସ୍ତେ ବିହରି
ଭେଟିଲେ ଯୁବା କେଶରୀ,
ଦେଖନ୍ତେ ଯୁବକ ପ୍ରେମ ଉଦଜିବିତ
ହୋଇଲା ରୂପ ବାନରୀ ।।
ପତି ରୂପେ ତାଙ୍କୁ ବରଣ କରିଲେ
ସୁଖେ କାଟୁଥିଲେ ଦିନ,
ମରମ ରେ ଏକ ଦୁଃଖ ଘାରୁ ଥିଲା
କୋଳ ଥିଲା ଯେଣୁ ଶୂନ୍ୟ ।।
ମାତଙ୍ଗ ଋଷିଙ୍କ ପରାମର୍ଶ କ୍ରମେ
ଘୋର ତପସ୍ୟା ଆଚରି,
ସନ୍ତୁଷ୍ଟ ହୋଇଲେ ଆଶୁତୋଷ ହର
ଶୂଳ ପାଣି ତ୍ରିପୁରାରୀ ।।
କହନ୍ତି ଅଞ୍ଜନା ଆହେ ତ୍ରିଲୋଚନ
ଜନ୍ମ ହୁଅ କୋଳେ ମୋର,
ତଥାସ୍ତୁ କହିଲେ ପାର୍ବତୀ ବଲ୍ଲଭ
ତ୍ରିଲୋଚନ ଗଙ୍ଗାଧର ।।
ବିଷ୍ଣୁ ଙ୍କ ସମୀପେ ଯୋଡ଼ ହସ୍ତ ହୋଇ
କହନ୍ତି ମଧୁର ବାଣୀ,
ବହୁ ରୂପ ତୁମ୍ଭ ଦେଖିଛି ହେ ହରି
ତରୁଣୀ ରୂପ ଦେଖିନି ।।
ଦୟା କରି ବାଞ୍ଛା ପୂର୍ଣ୍ଣ କର ପ୍ରଭୁ
ଦେଖାଅ ମୋହିନୀ ରୂପ,
ହର କଥା ରଖି ଦେବ ଲକ୍ଷ୍ମୀ ପତି
ଧରିଲେ ମୋହିନୀ ରୂପ ।।
ଅଚାନକ ବହେ ମଳୟ ମରୁତ
କୋଇଲି ପତ୍ର ଗହଳେ,
ଅଦିନେ ବିଜୟ ଋତୁ ଙ୍କ ର ରାଜା
କୁସୁମ ଫୁଟିଲା ଡାଳେ।।
ଅପୂର୍ବ ରୂପସୀ ଦେଖିଲେ ଶଙ୍କର
ନୟନେ ଅପୂର୍ବ ଠାଣି,
ଅପୂର୍ବ ଛଟକେ ଚାଲୁ ଅଛି ବାମା
ଭାଷଇ ମଧୁର ବାଣୀ ।।
ତରୁଣୀ କୁ ଦେଖି ମହାଦେବ ଙ୍କ ର
ଅସ୍ଥିର ହୋଇଲା ମନ,
କାମ ବାସନା ରେ ହେଲେ ଜର୍ଜରିତ
ହୋଇଲା ବୀର୍ଯ୍ୟ ସ୍ଖଳନ ।।
ସପ୍ତ ଋଷି ଆସି ବୀର୍ଯ୍ୟ କୁ ସଂଖୋଳି
ଚିନ୍ତାରେ ପଡ଼ି ଅଛନ୍ତି,
ମହାଦେବ ଙ୍କ ର ବୀର୍ଯ୍ୟ ଧରିବାର
ଯୋଗ୍ୟା କି କିଏ ଅଛନ୍ତି ??
କହନ୍ତି ମାରୁତ ମିଳିଣ ତକ୍ଷଣେ
ଅଞ୍ଜନା ଯୋଗ୍ୟ ଅଟଇ,
ଶିବ ଙ୍କର ପୁତ୍ର କୋଳେ ଧରିବାକୁ
ମହା ତପ ଆଚରଇ।।
ସପ୍ତ ଋଷି ଠାରୁ ଶିବ ଙ୍କର ବୀର୍ଯ୍ୟ
ଘେନି ଦେବ ପ୍ରଭଞ୍ଜନ,
ଅଞ୍ଜନା ଙ୍କ ଗର୍ଭେ ଅତି ଯତନ ରେ
କରିଲେ ବୀର୍ଯ୍ୟ ସ୍ଥାପନ ।।
ବହୁ ତପ ସାଧି ଅଞ୍ଜନା ରୂପସୀ
ହୋଇଲା ବାଞ୍ଛା ପୂରଣ,
ଦେବ ଙ୍କ ର ଦେବ ଶ୍ରୀ ଭୋଳା ଶଙ୍କର
ହୋଇଲେ କୋଳେ ନନ୍ଦନ ।।
ଆଦ୍ୟ ବୈଶାଖ ର ଶୁଭ ଲଗନ ରେ
ମେଷ ସଙ୍କରନ୍ତି ଦିନ,
ଉତ୍ତର ବରଜି ବିଷୁବ ରେଖା ରେ
ସ୍ଥିର ହୋଇଲେ ତପନ ।।
ଏମନ୍ତ ଅମୃତ ବେଳା ରେ ମାରୁତି
ହେଲେ ମର୍ତ୍ତ୍ୟ ରେ ଜନମ,
ଭୂମିରେ ପଡନ୍ତେ କ୍ଷୁଧାରେ ବାଳକ
କରି ବିକଳେ କ୍ରନ୍ଦନ ।।
ଆକାଶେ ଭାସ୍କର ଦେଖି ସେ କୁମର
ଭକ୍ଷଣେ ହ୍ୱନ୍ତେ ଉଦ୍ୟତ,
ଆସନ୍ନ ବିପଦ ଦେଖି ସଚୀପତି
କ୍ରୋଧେ କଲେ ବଜ୍ରାଘାତ ।।
ହନୁ ହାଡ ଭାଙ୍ଗି ହନୁମନ୍ତ ନାମେ
ହୋଇଲେ ବିଶ୍ୱେ ବିଖ୍ୟାତ,
ଭକ୍ତ ଶ୍ରେଷ୍ଠ ସେହି ମହା ପରାକ୍ରମୀ
ପ୍ରଭୁ ଶ୍ରୀ ରାମ ଙ୍କ ଦୂତ।।
ଜୟ ହନୁମାନ ଅଞ୍ଜନା ତନୟ
ଜୟ କେଶରୀ ନନ୍ଦନ,
ଜୟ ବାୟୁ ସୁତ ଶ୍ରେଷ୍ଠ ରାମ ଭକ୍ତ
ବନ୍ଦଇ ତୁମ ଚରଣ ।।
