ହେ କବି
ହେ କବି
ହେ କବି........
କଣ ପାଇଁ ତୁମେ କର ଏତେ ସର୍ଜନା
ତୁମରି ସ୍ପର୍ଶରେ ଜୀବନ୍ତ ହୋଇ ଉଠନ୍ତି ଶବ୍ଦ ସବୁ
ବହୁତ୍ କିଛି ଚମତ୍କାର ଘଟେ ତୁମରି ଇଚ୍ଛାରେ
ତୁମେ ନିମିଷକେ ଦୂରେଇ ଦେଇପାର ଦୁଃଖ ଶୋକକୁ
ଭରି ଦିଅ ଚାରିଆଡ଼େ ଆନନ୍ଦର ଲହରୀ
ତୁମେ ସାଥି ହୋଇଯାଅ ଆବାଳ ବୃଦ୍ଧ ବନିତାର
ତମକୁ ଅନେକ କଥା କହିଦିଏ ଏକାକିନୀ ଅବଳା
ଆଉ ଦୁର୍ବଳାଟିଏ...
କବି ତୁମେ ଝରାଇ ପାର ବର୍ଷା
ଧୁ ଧୁଇଆ ଗ୍ରୀଷ୍ମର ରୋଦ୍ର ତାପ ମଧ୍ୟରେ
ପୁଣି ଭରିପାର ଉଷ୍ମତା
ହାଡ଼ ଭଙ୍ଗା ଶୀତର ସଂଜ ଅବା ସକାଳେ
ଅବଶ୍ୟ ବେଳେ ବେଳେ ତୁମ କଥା ଲାଗେ ଶାଣ ପରି
ଯେବେ ତୁମେ କର ଅନ୍ୟାୟ ଅନିତିକୁ ସମାଲୋଚନା
ତୁମ ମଧ୍ୟେ ଥାଏ ସାମର୍ଥ୍ୟ କିଛି ନିଆରା ପଣର
କିଛି ଗୋଟେ ନୂଆ ଭାବନାର ନୂଆ ଚେତନାର
ସେଥି ଲାଗି ପରା ତୁମେ ସବୁରି ପ୍ରିୟ
ତୁମକୁ ଘେରି ପାରେନି ସୀମାର ତାର ଜାଲ ଗୁଡ଼ିକୁ
ତୁମେ ନିମିଷକ ମଧ୍ୟେ ଯାଇ ପାର ପୃଥିବୀର
ଗୋଟେ କୋଣରୁ ଅନ୍ୟ ଏକ କୋଣକୁ
ବିନା ବାଧା ଆଉ ବିଘ୍ନରେ....
ତୁମେ ଧନ୍ୟ ହେ କବି
ତୁମେ ଦୁଃଖେ କଷ୍ଟେ ଥାଇ ବି
ଭରୁ ଥିବାରୁ ମହକ ଚମକ ତୁମ କବିତା ମାଧ୍ୟମରେ
ସମସ୍ତେ ଏଭଳି ଉଡି ବୁଲନ୍ତୁ ଭାସି ବୁଲନ୍ତୁ
ତୁମରି ସ୍ୱପ୍ନର ତିଆରି ତାଜମହଲରେ
ସ୍ଵର୍ଗର ପାରିଜାତ ବନରେ ...
ଏ ଭଳି ରଖିଚାଲ ସନ୍ତୁଳନ
ପୁରାତନ ଆଉ ନୂତନ ମଧ୍ୟରେ
ତୁମେ ଖେଳି ଉଠିବ ସବୁରି ଓଠରେ
ସବୁରି ମନର ବକୁଳ ବନରେ.......
