ହାଟ
ହାଟ


ସମାଜ ହାଟରେ ସଉଦା ମୁଁ' କରେ
ଏତ ନିତିଦିନ କଥା ,
ସାମାଜିକ ଚିତ୍ର ଜୀବନର ମିତ୍ର
ମଣିଷ ପାଳଇ ପ୍ରଥା ॥
ସଂସାରୀ ମଣିଷ ନ ଲିଭୁ ତା' ହସ
ଦୂର ହେଉ ସବୁ ବ୍ୟଥା ,
ହାଟ ବାଟ ନାଟ ଜୀବନର ଚିତ୍ର
କାହାଣୀ ଅକୁହା କଥା ॥
ପଇସା କଉଡି ସଂସାରର ଛବି
ହାଟର ମଉଡ ମଣି ,
ବିନା ପଇସାରେ ଜଳବି ନମିଳେ
ଚିନ୍ତାକରେ ମଣି ଜାଣି ॥
ପରିବା ଚାଉଳ ଜୀବନର ମିତ୍ର
ଭୋକ ଜ୍ଜ୍ଵଳା ନିବାରଣେ ,
ହାଟ ସଉଦାଟି ରହିଗଲେ ବାକି
ଲୁହ ଆସେ ଚକ୍ଷୁ କୋଣେ ॥
ସ୍ୱଳ୍ପ ଆୟକାରୀ ଭାଗ୍ୟକୁ ଆବୋରି
ହାଟ ଭିଡେ ହଜିଯାଏ ,
ଧନୀ ଗରିବର ପ୍ରଭେଦ ବିଚାର
ହାଟରେ କିନ୍ତୁ ନଥାଏ ॥
ଜନ ଗହଳିରେ ହାଟ ପୁରି ଉଠେ
ଲକ୍ଷ୍ମୀ ମାଆ ବିଜେ ସ୍ଥଳି ,
ଭଳିଭଳି ଚିଜ ବିକା କିଣା ହୁଏ
କରନ୍ତିନି କେହି କଳି ॥
ଆମୋଦ ପ୍ରମୋଦ କେତେ ପୁଣି ନାଟ
ହାଟର ଶୋଭା ବର୍ଦ୍ଧକ ,
କୁହୁକ ସର୍କସ କରେ ବିମୋହିତ
ବୃଦ୍ଧବି ସାଜେ ଦର୍ଶକ ॥
ହାଟ ମନ ମିତ ସଙ୍ଗତରେ ସଙ୍ଗ
ବାଣିଜ୍ୟିକ ପେଣ୍ଠସ୍ଥଳି ,
ସମାଜ ସେବାରେ ହାଟହିଁ ଉତ୍କର୍ଷେ
ସମର୍ପଣେ ସ୍ଵର୍ଣ୍ଣ ଥାଳି ॥