ଘରକୁ ଅଡ଼ୁଆ ବୁଢ଼ା
ଘରକୁ ଅଡ଼ୁଆ ବୁଢ଼ା
କୁହନ୍ତି କଥାରେ ଜନେ ବେଳେ ବେଳେ
ଘରକୁ ଅଡ଼ୁଆ ବୁଢ଼ା
ଖାଇ ନ ଜାଣିଲେ ଖାଇବା ବେଳରେ
ଦାନ୍ତକୁ ଅଡ଼ୁଆ ଖଡା ।।
ଜୀବନର ଶେଷ ପାହାଚର ଦୋଷ
ଯିଏ ହୁଏ ସେଠି ଛିଡା
ପରିବାର ଠାରୁ ସମାଜ ପର୍ଯ୍ୟନ୍ତ
ସବୁଠି ହୁଏ ଅଲୋଡା ।।
ସବୁ କରିଥିବ ଛଡାଇ ଯେ ନେବ
ତାର ରକ୍ତେ ଯିଏ ଗଢା
ଭଲରେ ମନ୍ଦରେ ପଦିଏ କହିଲେ
ଘରୁ ଖାଇବ ସେ ତଡା ।।
ଶେଷରେ ରହିବ ଜରାଶ୍ରମେ ଯାଇ
ସରକାର ଅନୁଦାନେ
ଅଏସ କରିବେ ପୁଅ ବୋହୂ ଏଠି
ଦିନେ ନ ଭାବିବେ ମନେ ।।
କାହିଁକି ଏମିତି ପକ୍ଷପାତି ନୀତି
ଜରାଶ୍ରମ କାହିଁ ଲୋଡା
ଏଇ ଭଳି ପୁଅ ବୋହୁଙ୍କର ପାଇଁ
ଆଇନ ହୁଅନ୍ତା କଡ଼ା ।।
ଯାହାର ନାହାନ୍ତି ସାହା ଭରଷା କେ
ତାଙ୍କୁ ଜରାଶ୍ରମ ଲୋଡା
ଜରାଶ୍ରମ ନୁହେଁ ତାଙ୍କ ପାଇଁ କେବେ
ଯା ପାଶରେ ଟଙ୍କା ବିଡା ।।
ପୁଅ ରହୁଥିବ ଲଣ୍ଡନରେ କା'ର
ଝିଅ ଥିବ କାନାଡ଼ାରେ
ବୋପା ଖୋଜୁଥିବ ଏଠି ଜରାଶ୍ରମ
କି ମୂଲ୍ୟ ଟଙ୍କା ବିଡାରେ ?
ଟଙ୍କା ପାଇଁ ସର୍ବେ ହୁଅନ୍ତି ପାଗଳ
ରକ୍ତଟି ହୁଏ ଅଲୋଡା
ଯେଉଁ ରକତରେ ଗଢା ଏ ଶରୀର
ସିଏ ଖାଏ ଘରୁ ତଡ଼ା ।।