ଦୟାକର ନିଦ୍ରାଦେବୀ
ଦୟାକର ନିଦ୍ରାଦେବୀ
ଅସମୟ ବ୍ୟସ୍ତ କରେ ହୋଇଲେ ନିଃଶବ୍ଦ
ନିଶୁନ୍ ରାତିଟା ସତେ ମୋ ଉପରେ କ୍ଷୁବ୍ଧ
ଦୟାକର ନିଦ୍ରାଦେବୀ ଦିଅ ମୋତେ ନିଦ
ଶୋଇବି ମୁଁ ପାଶୋରି ଗୋ ସବୁ ଅବସାଦ
ବିନିଦ୍ର ରଜନୀ କେତେ ଯାଉଅଛି ପାହି
ରାତି ସରେ ଆଖିରେ ମୋ ନିଦ ଆସେ ନାହିଁ
ବୟସ କରୁଛି ସତେ ମୋ ସାଥିରେ ବାଦ
ସୁଖ ନିଦ୍ରା ଦିଅ ଦେବୀ ବନ୍ଦେ ତୁମ ପାଦ
ଶୋଇବି ମୁଁ ପାଶୋରି ଗୋ ସବୁ ଅବସାଦ
ନ ଆସଇ ନିଦ ଯେଣୁ ହୁଏ କଲବଲ
ଦେହ ମନ ଏବେ ଆଉ ରହୁ ନାହିଁ ଭଲ
କଲବଲ କରେ ମୋତେ ଅଶାନ୍ତି ଓ କ୍ରୋଧ
ଅତୀତ ଗୁମୁରେ ଦେଇ ନିନ୍ଦା ଅପବାଦ
ଦୟାକର ନିଦ୍ରାଦେବୀ ଦିଅ ମୋତେ ନିଦ
ବୟସର ଅପରାହ୍ନ ଦେହ ମନ କ୍ଳାନ୍ତ
ଅସ୍ତ ସୂର୍ଯ୍ୟ ଲାଲିମାରେ ରଙ୍ଗହୀନ ପାନ୍ଥ
ବେସୁରା ରାଗଣୀ ତାଳେ ଦିଗହରା ଛନ୍ଦ
ନିଶାରେ ଝୁମୁଛି ନିତି ନପିଇ ମୁଁ ମଦ
ଦୟାକର ନିଦ୍ରାଦେବୀ ଦିଅ ମୋତେ ନିଦ