ଦୁଃଖ
ଦୁଃଖ
ସରିଗଲି ହରି ଦୁଃଖ ହେଲା ଭାରି ଲାଗୁଅଛି ବଡ଼ ଭୟ
କାହାକୁ ଡାକିବି ପାରୁନାହିଁ ଭାବି ତୁମେ ହୋଇଲ ନିର୍ଦୟ
ନୀରାଶାରେ ଦିନ କଟେ
ଦୁଃଖ ବେଳୁ ବେଳ ହେଉଛି ପ୍ରବଳ ପଡ଼ିଛି ବଡ଼ ସଙ୍କଟେ ।।
ବହୁ କୁଟୁମ୍ଵର ଅଟଇ ମୋ ଘର ଜଣେ ଜଣେ ସ୍ଵାର୍ଥପର
ଅର୍ଥ ତ ଅନର୍ଥ ଦେଖାଏ କୁ ପଥ ହୋଇ ଯାଉଛନ୍ତି ପର
ନାହିଁ କେହି ସାହା ରାହା
ଅନେକ ଆଘାତ ଦିଏ ବହୁ କଷ୍ଟ କାହାକୁ କହିବି ଆହା ।।
ଆହେ ନୀଳଗିରି କନ୍ଦର ବିହାରୀ ତୁମ ଆଶ୍ରୟ ରେ ଏବେ
ପଡ଼ି ଜଣାଉଛି ଆଶ୍ରୟ ମାଗୁଛି ଉଦ୍ଧାର କରିବ କେବେ
ଏ ଦୁଃଖ ରୁ କରି ପାରି
କୋଳେଇ ନେବେ ହେ ପଡ଼ିଛି ସନ୍ଦେହେ ବସିଛି ଭରଷା କରି ।।
ତୁମେ ଏ ଜୀବନ ସ୍ଵାମୀ ଜନାର୍ଦ୍ଦନ କିବା ନଜାଣୁଛ ତୁମେ
ସର୍ବଜ୍ଞାତା ବୋଲି ତୁମକୁ କହିଲି ମୋ ଦୁଃଖ ଶୁଣିବା କର୍ଣ୍ଣେ
ହେଉ ହେ ଜଗତ ପତି
ନକରିବ ବାରେ ଲୋକହସା ମୋରେ ଅଗତି ର ତୁମେଗତି ।।
ନିଜ ସ୍ଵାର୍ଥ ସବୁ ଜଳାଜଂଳି ପ୍ରଭୁ ଦେଇଛି ମୁଁ ଯାହା ପାଇଁ
ବଇରି ସାଜନ୍ତି କଥା କହୁଥାନ୍ତି ହୃଦୟ ହୁଏ ବିଦାରି
କାହିଁ ମୁକ୍ତି ପରାଂଗତି
କରୁଅଛି ଅଳି ପ୍ରଭୁ ବନମାଳୀ ଏଥିରୁ କରହେ ମୁକ୍ତି ।।
ତୁମେ ମୋ ସାଆନ୍ତ ମୁଁ ତୁମର ଭୃତ୍ୟ ତବପଦ ତଳେ ଥାଇ
ତୁମ ଭଳି ନାଥ ଥାଉ ମୁଁ ଅନାଥ ସାହା ରାହା ଯେବେ ନାହିଁ
ହସିବେ ଲୋକ ସଂସାରେ
ସହି ପାରିବିନି ତୁମ ନିନ୍ଦାଶୁଣି ଜୀବନ ର ଅନ୍ତ କାଳେ ।।
ସୁଖ ସାଥୀ ସବୁ ଦୁଃଖ ବେଳେ କିନ୍ତୁ ସବୁ ହୋଇ ଯାନ୍ତି ଦୂର
ଅନ୍ଧାରେ ଆଲୋକ ଯେତେ ସୁଖ ଦୁଃଖ ତୁମେ ସାଥୀ ନିରନ୍ତର
ଦୁଃଖର କରାଳ ଛାଇ
ଦିଅ ହେ ହଟାଇ ଆହେ ଭାବଗ୍ରାହୀ(ମୋର)ତୁମ ବିନା କେହି ନାହିଁ ।।