ଦୁଃଖ ପାଶୋରା ତୁ ଧନ
ଦୁଃଖ ପାଶୋରା ତୁ ଧନ
ହେ ଆନନ୍ଦ କନ୍ଦ ଗୋବିନ୍ଦ ମୁକୁନ୍ଦ
ସୁନାଥାଳି ଧନମାଳି
ମନ୍ତ୍ର ଆବାହନ ଜାଣେନି ମୁଁ କିଛି
ଖାଲି ତୋତେ ହୁଏ ଭାଳି ।
ତୋ ବାଙ୍କଚାହାଣୀ ମନ ନିଏ କଣି
ଦୁଃଖ ପାଶୋରା ତୁ ଧନ
ଅଳିକ ଜୀବନ ମୋର ଉଦାସୀନ
ଲୁହରେ ଭିଜେ ନୟନ ।
ତୋ ମୁରୁକି ହସ ତୁଳସୀ ର ବାସ
ଭାବରେ ଭାବ ବନ୍ଧନ
ଅମୃତରେ ଭରା ଅନୁଭବ ପରା
ଦୁଃଖ ରେ ସୁଖ ସପନ ।
ପୀତବସନରେ ଶ୍ଯାମଳ ତନୁରେ
ମୟୂର ଚନ୍ଦ୍ରିକା ଚୂଳେ
ତ୍ରିଭଙ୍ଗି ଠାଣିରେ ଢଳି ଢଳି ଚାଲି
ବନଫୁଲ ମାଳ ଗଳେ ।
ତୋର ମୁଖଶୋଭା କେଡେ ମନଲୋଭା
ପ୍ରଫୁଲ୍ଲ ସୁରଭି ଛବି
ଆହା କି' ସୁନ୍ଦର ତୁ' ରେ ଗିରୀଧର
କୋଟିତେଜ ସମ ରବି ।
ରସରାଜ ହରି ରସିକ ଶେଖର
କଳା ମାଣିକ ତୁ ମୋର
ଗୋକୁଳ ଚନ୍ଦ୍ରମା ନାହଁ ତୋ ଉପମା
ଅପୂର୍ବ ରୂପ ସମ୍ଭାର ।
ମଥୁରାରୁ ଗୋପ କେତେ ଅବା ଦୂର
ସତେକି ଆତ୍ମା ଶରୀର
ଲୀଳା ଖେଳା ରଚି ଅଧର୍ମ ନାଶିଲୁ
ହୋଇ ମହା କଳାକାର ।
ଯଶୋଦା ମାତାଙ୍କୁ ଦେଖାଇଲୁ ପାଟି
ବିଶ୍ବଭୂବନ ପ୍ରକାଶି
ପୂତନାକୁ ବଧ କରିଲୁ ଗୋପରେ
କ୍ଷୀର ସବୁ ଦେଇ ଶୋଷି ।
ବର୍ଷାବତାସରେ ଗୋବର୍ଦ୍ଧନ ଗିରୀ
କନିଷ୍ଠାଙ୍ଗୁଳିରେ ଧରି
ବ୍ରଜବାସୀଙ୍କୁ ତୁ ରକ୍ଷା କରିଥିଲୁ
ଇନ୍ଦ୍ରଙ୍କୁ ଭୟ ନକରି ।
ଗୋପି ମାନଙ୍କର ବସ୍ତ୍ର ଚୋରିକରି
କେତେ ଲଜ୍ଯା ତାଙ୍କୁ ଦେଲୁ
ଅନ୍ଧାରରୁ ଆଣି ଆଲୋକ ଦେଖାଇ
ସଂସ୍କାର ତୁ ଶିଖାଇଲୁ ।
ତୁ କଳା କାଞ୍ଚନ ବନମାଳୀ ମୋର
ଶ୍ଯାମଘନ ନୀଳମଣି
ଅବତାର ନେଇ ଉଶ୍ବାସୁ ଧରାକୁ
ଅହଂଭାବ ଦେଇ ହାଣି ।
ମୁଁ ଅଜ୍ଞାନ ଜନ ଅଟେ ଅକିଞ୍ଚନ
ତୁ ପରା କଳା ନାଉରୀ
ଭୁଲି ରାଗ ରୋଷ କ୍ଷମା କରିଦେବୁ
ଏ ଭବରୁ କରି ପାରି ।
ଜୟ ଶ୍ରୀକୃଷ୍ଣ କେଶବ ହରେ ମୁରାରୀ
ଗୋବିନ୍ଦ ଗୋପାଳ ମାଧବ ଶ୍ରୀହରି ।
