ଡାକୁଥାଅ ମୋର ନାଆଁ
ଡାକୁଥାଅ ମୋର ନାଆଁ
ନାରାଜ ନ ହୁଅ ହେ ମୋହନ ଏବେ
ବଇଁଶୀ ତୁମର ନିଅ ,
ଏଇ ସୁର ଭାରି ମଧୁର ବୋଲିକି
କହନ୍ତି ବରଜ ଝିଅ ।
ମୋତେ ଛିଗୁଲାନ୍ତି ବଡ଼ ଭାଗ୍ୟ ତୋର
ଶ୍ୟାମ ଡାକନ୍ତି ତୋ ନାଆଁ ,
ତାଙ୍କ ବଂଶୀ ସ୍ୱନେ ନିନାଦିତ ହୁଏ
ସାରା ଗୋପପୁର ଗାଆଁ ।
ଆମର ସେ ଭାଗ୍ୟ କାହିଁ ଆଗୋ ରାଧେ
ବଇଁଶୀ ଡାକିବ ସତେ ,
ଡାକିଦେଲେ ଆମେ ଧନ୍ୟ ହୋଇଯା'ନ୍ତୁ
ଗୋପପୁର ଗୋପୀ ଯେତେ ।
ନିନ୍ଦା, ଅପବାଦ ରଟେ ବୋଲି ସିନା
ମିଛରେ ମୁଁ କରେ ଗାଳି ,
ତୁମ ବଂଶୀ ସ୍ଵନ ନ ବାଜିଲେ କାନେ
କେତେ କଥା ହୁଏ ଭାଳି ।
ଦେଖୁଛ ଯା' ଏଇ ପିଣ୍ଡ ସିନା ମୋର
ତୁମେ ତା' ଭିତର ପ୍ରାଣ ,
କେମିତି ମୁଁ ଆଉ ଖୋଲିକି କହିବି
ଭାଙ୍ଗି ଗଲାଣି ମୋ ଟାଣ ।
ନିଅ ହେ ମୋହନ ତୁମରି ମୁରଲୀ
ଡାକୁଥାଅ ମୋର ନାଆଁ ,
ସେଇ ନିନାଦରେ କୃଷ୍ଣମୟ ହେଉ
ସାରା ଗୋପପୁର ଗାଆଁ ।
