ଚିଠି
ଚିଠି
ଆଜିକାଲି ଚିଠି ସବୁ ମହକୁନି
ବାସନା ଅତରେ,
ଉଡୁନାହିଁ ଶଙ୍ଖ ଚିଲ ଶୁଭ ଆଉ
ନୀଳ ଆକାଶରେ,
ଗହନ ମନର କଥା
ଉକୁଟି ଉଠୁନି କର
କଲମ ମୁନରେ ।
ବିତୁଥିଲା ରାତି କେତେ ଭାବନାରେ
ଅତନ୍ଦ୍ର ଅନିଦ୍ର,
ଫୁଟୁଥିଲା ପାରିଜାତ ଶବ୍ଦ ପଦ୍ମ
ହୃଦୟ ବିମୁଗ୍ଧ ,
ପ୍ରିୟତମ ପ୍ରିୟତମା
ପାଠକରି ପତ୍ର ବାରମ୍ବାର
ହେଉଥିଲେ ସ୍ତବ୍ଧ ।
ଯଉମୁଦ ଲଫାପା ବା ଖୋଲା ଚିଠି
ସବୁଜ ପତରେ,
ଯାଉଥିଲା ଆସୁଥିଲା ବାର୍ତ୍ତା କେତେ
ଧୀର ମନ୍ଦ୍ର ତାଳେ,
ଆସିଅଛି ତୁମ ଚିଠି
ଶୁଣିବାକୁ ଡାକବାଲା ସ୍ୱର
ଥିଲା ଅପେକ୍ଷାରେ ।
ନାହିଁ ଆଜି ହୃଦୟେ ଉଦ୍ ବେଳ
ଚିଠି ଯୁଗ ଶେଷ,
ତରଳ ହୃଦୟ ଏବେ କଣିକା ତରଙ୍ଗ
ଦଗ୍ଧ ଗତିଶୀଳ,
ବେଳ ନାହିଁ ଭାବିବାକୁ
ଉଜାଣି ବହୁଛି ନଈ
ନାହିଁ ଭାବ କୂଳ ।
ନିମିଷକେ ଭାଙ୍ଗି ଯାଏ ଗଢିଉଠେ
ସ୍ୱପ୍ନର ମହଲ,
ହଜିଯାଏ ପ୍ରାଣୀ ପ୍ରଜ୍ଞା ଏ ମଣିଷ
ଯନ୍ତ୍ର ଦାସ ତୁଲ୍ୟ,
ସମ୍ବନ୍ଧ ସମ୍ପର୍କ ହୀନ
କ୍ଷଣବୁଦ୍ଧି ଅର୍ଥ ସ୍ୱାର୍ଥ ଜୀବନରେ
ନାହିଁ କିଛି ମୂଲ୍ୟ ।
ଚିଠି ଦେହେ ଜମିଛି ଅଳନ୍ଦୁ
ଆବିଳ ତା ଛବି
ସ୍ୱଚ୍ଛ ତାର ସୁନୀଳ ସ୍ୱରୂପ
ଯାଇଅଛି ହଜି
ଚିଠି ଆଜି ନୀରବରେ
ଚେତି ତାର ପୂର୍ବସ୍ମୃତି
ଗୁମୁରି କାନ୍ଦୁଛି ।
