STORYMIRROR

Krushnapriya Mohapatra

Children Stories Comedy Children

4  

Krushnapriya Mohapatra

Children Stories Comedy Children

ଚଇତନ ନନାଙ୍କ ହଟହଟା

ଚଇତନ ନନାଙ୍କ ହଟହଟା

1 min
170

ଚଇତନ ନନା ବାହାରିଲେ ଦିନେ 

ଶଶୁର ଘରକୁ ବୁଲି,

କି ଦରବ ନେବି ଶଳାଶାଳୀ ପାଇଁ 

ହେଉଥିଲେ ଖାଲି ଭାଳି।

ଜୁଟିଲାନି କିଛି ମୁଣ୍ଡକୁ ତାଙ୍କର 

ଶେଷକୁ କଲେ ବିଚାର,

ଟଙ୍କା କିଛି ଦେବି ହାତରେ ତାଙ୍କର

ଲାଗିବ ବେଶି ସୁନ୍ଦର।

ବସରେ ବସି ନନା ଢୁଳେଇଲେ

ଅଫିମ ନିଶା ତ ଘାରେ,

ପାଖରେ ବସିଲେ ବାବୁ ଜଣେଆସି 

ଅଖାଟିଏ ରଖି ଧୀରେ।

କଣ୍ଡକ୍ଟର୍ ଆସି ଡାକିଲା ନନାଙ୍କୁ

ହୋଇଲା ଯେ ଷଣ୍ଢପୁର,

ଝଅଟ ଓହ୍ଲାଅ ଧରି ତୁମ ଚିଜ

ଗାଡି ଚାଲିବ ସଅଳ।

ଦେଖିଲେ ନନା ଯେ ତାଙ୍କ ଗୋଡ଼ ପାଖେ

ଅଖାଗୋଟେ ରହି ଅଛି।

ଛାଡ଼ି ଗଲେ ବୋଧେ ସେ ବାବୁ ଜଣକ

ବସିଥିଲେ ଯିଏ ଏଠି।

ଚଇତନ ନନା ଭାବିଲେ ମନରେ

ଥିବକି ଅମୂଲ୍ୟ କିଛି,

ଧୋବ ଧାଉଳିଆ ବାବୁଟି ନିଶ୍ଚିତ

ନ ଜାଣି ଚାଲି ଯାଇଛି।

ଏପଟ ସେପଟ ଚାହିଁ ଦେଇ ସିଏ

କାନ୍ଧରେ ପକାଇ ଅଖା,

ଓହ୍ଲାଇ ପଡ଼ିଲେ ଗାଁ ମୁଣ୍ଡଦେଖି

ଛାତି ଖାଲି ଉଠାପକା।

ଚାଲି ଚାଲି ଯାଇଁ ପହଞ୍ଚି ଗଲେ ଯେ

ଶଶୁର ଘର ପାଖରେ,

ଦେଖି ଶଳା ଶାଳୀ ଖୁସିରେ ପଚାରି

କି ଚିଜ ଜ୍ୱାଇଁ କାନ୍ଧରେ।

ଭାରଥୋର ଧରି ଆସିଲ କିମ୍ପାଇଁ

ପଚାରି ବସିଲେ ଶାଶୁ ,

ନନା ଦେଲେ ହସି ହୋଇ ମନେ ଖୁସି

ଖାଲିରେ କେମନ୍ତେ ଆସୁ।

ଏ ସମୟେ ଶଳା ଖୋଲି ଦେଲା ଅଖା

ଡେଇଁଲେ ବିଲେଇ ଯୋଡା,

ଖପ୍ ଖାପ୍ ହୋଇ ଡେଇଁ ଚାଲି ଗଲେ

ଶାଶୁ ଦେଲେ ମୁହଁ ମୋଡା଼।

ଶଳା ଶାଳୀ ଆଉ ଶଶୁର ହସନ୍ତି

ଭାର କି ଆଣିଲ ସତ

ଚଇତନ ନନା ଲାଜରେ ସରିଲେ

ମୁଣ୍ଡରେ ଦେଲେ ଯେ ହାତ।

ଅନ୍ୟର ଜିନିଷ ଲୋଭରେ ଆଣିବା

ଫଳ ମିଳିଗଲା ଭାଇ,

ହିନସ୍ତା ହୋଇଲେ ଅନ୍ୟ ଆଗେ ପୁଣି

ସରମ ଟିକେ ଯା ନାହିଁ।

ନ ଜାଣି କାହାର ଜିନିଷ ନେବା କି

ଉଚିତ ଅଟଇ କେବେ,

ଚୋରି ସଙ୍ଗେ ତାହା ସମାନ ଅଟଇ

ଜାଣିଥାଅ ପିଲା ସର୍ବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍