ଚିରନିଦ୍ରା କେତେ ଯେ ସୁଖଦ
ଚିରନିଦ୍ରା କେତେ ଯେ ସୁଖଦ
ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ—
ଧୃବ ସତ୍ୟ ଗୀତାର ଏ ବାଣୀ ।
ଜୀବନ ଯନ୍ତ୍ରଣା ଅପେକ୍ଷା,
ମୃତ୍ୟୁର ବେଦନା କଣ କମ୍ ଅବା ବେଶୀ
କେହି କେବେ ପାରିଛି କି ଜାଣି ? ॥
ନିସ୍ପନ୍ଦ ନିରବ ଶରୀରଟା ପଡିରହିଥିଲା,
ଏକ ଶୁଭ୍ର ଚଦର ତଳେ ,
ଫୁଲମାଳ, ଫୁଲ ତୋଡାମାନ
ସଜାହୋଇ ଦୁଇ ପାର୍ଶ୍ୱେ
ରଖା ଯାଇଥିଲେ ॥
ଧୁପ ଆଉ ଅତରର ବାସ୍ନା
ବାସ୍ନାୟିତ କରୁଥିଲା ପୁରା ପରିବେଶ,
ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ଗଣ
ବଖାଣୁଥିଲେ—ତାଙ୍କ କୀରତି ଓ ଯଶ ॥
ଘର ଯେଉଁ ତୋଳିଥିଲେ
ଧନ ଆଉ ଶ୍ରମଦାନ କରି,
ସେ ଆଉ ତାଙ୍କର ନୁହେଁ,
ସବୁଦିନ ପାଇଁ ସେଠାକୁ ସେ
ଆଉ ପାରିବେନି ଫେରି ॥
ଚାଲିଥିଲା ଶୋଭାଯାତ୍ରା
ଶୁଭୁଥିଲା ରାମ ନାମ ସତ୍ୟ
ଶୋକେ ମଗ୍ନ ଆତ୍ମୀୟ ସ୍ୱଜନ
କାନ୍ଦୁଥିଲେ କନ୍ୟା ଜାୟା ସୁତ ॥
ଜୀବନ ଜିଇବା ଏକ ଲମ୍ବା ରାସ୍ତା
ପଦେ ପଦେ ଯନ୍ତ୍ରଣା ବିପଦ
ମୄତ୍ୟୁ ଏକ ସୁକ୍ଷ୍ମ ବିନ୍ଦୁ
ନିମିଷକେ ଆସି ଦେଇଯାଏ
ଚିରନିଦ୍ରା ଅତ୍ୟନ୍ତ ସୁଖଦ ॥
******